‘ଫନି’ ପ୍ରଭାବିତ ଜିଲ୍ଲାରେ ଏ ଯାଏ ହୋଇନି ମହାମାରୀ: ସରକାର

ପୁରୀରେ ପାଇପ ଜଳ ଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ତ୍ବାରାନ୍ବିତ, ମଧ୍ୟ ରାତିସୁଦ୍ଧା ଭୁବନେଶ୍ବରରେ ବିଦ୍ୟୁତ ସଂଯୋଗ ୧୦୦%, ୧୫ ସୁଦ୍ଧା ପୁରୀ ସହର, କୋଣାର୍କ ଓ ନିମାପଡ଼ାରେ ବିଦ୍ୟୁତ ସଂଯୋଗ

ଭୁବନେଶ୍ବର : ପୁରୀରେ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ସହରର ଉପଭୋକ୍ତାଙ୍କୁ ମିଳିବ ବୋଲି ପ୍ରଥମକରି ସରକାର କହିଛନ୍ତି। ସେହିପରି ପୁରୀ ସମେତ କୋଣାର୍କ ଓ ନିମାପଡ଼ାରେ ବି ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ‘ଫନି’ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସାମ୍ବାଦିକ ସମ୍ମିଳନୀରେ ପାଇପ ଜଣ ଯୋଗାଣ ସ୍ଥିତି ଓ ରିଲିଫ ବଣ୍ଟନ ନେଇ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବିତ ୧୩ଟି ଜିଲ୍ଲାରେ ଥିବା ୧୩୮ଟି ଆବାସିକ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ସରକାର ଦର୍ଶାଇଛନ୍ତି। ଏହାସହିତ ରାଜ୍ୟ ସଂଗ୍ରହାଳୟର କ୍ଷତି ବାବଦରେ ୧ କୋଟି ୯୦ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ସରକାର କହିଛନ୍ତି।

ସ୍ଥାନାୟ ଜୟଦେବ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ସୁଧାର ଆସିଛି। ଏବେସୁଦ୍ଧା ଜଗତସିଂହପୁର ଓ ଯାଜପୁରରେ ଗ୍ରାମୀଣ ପାଇପ ଜଳ ଯୋଗାଣରେ ୯୮% ସୁଧାର ଆସିଛି। ଖୋର୍ଦ୍ଧାରେ ଏବେସୁଦ୍ଧା ୩୩୯ଟି ପାଇପ ଜଳ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଇଛି। ପୁରୀରେ ମଧ୍ୟ ୨୪୩ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ସରକାର ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଜିଲ୍ଲାରେ ମୋଟ ୨ ହଜାର ୩୬୪ଟି ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ଭିତରୁ ୨ ହଜାର ୧୧୪ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିବା ସଚିବ ଶ୍ରୀ ସିଂହ କହିଛନ୍ତି। ଆସନ୍ତା ୧୩ ତାରିଖ ସୁଦ୍ଧା ଏସବୁ ଜିଲ୍ଲାରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ସମ୍ପୂର୍ଣ୍ଣ ହେବ ପଞ୍ଚାୟତି ରାଜ ବିଭାଗ ଲକ୍ଷ୍ୟ ରଖିଛି। ସବୁ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା ବାତ୍ୟା ପୂର୍ବବର୍ତ୍ତୀ ସ୍ଥିତିକୁ ଫେରିଆସିଥିବା ଦାବି କରିଛନ୍ତି ସରକାର।

ମୋବାଇଲ ଟାଵାର କାର୍ଯ୍ୟକ୍ଷମ ନେଇ ଶ୍ରୀ ସିଂହ କହିଛନ୍ତି, ଖୋର୍ଦ୍ଧାରେ ୫୭% ଟାଵାର କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୩୪%, କଟକରେ ୭୦%, ଭୁବନେଶ୍ବରରେ ୫୬%, ପୁରୀ ସହରରେ ୧୮%, କଟକ ସହରରେ ୭୩% ମୋବାଇଲ ଟାଵାର କାର୍ଯ୍ୟକ୍ଷମ ହୋଇସାରିଛି। କେବଳ ଭୋଡ଼ାଫୋନ୍ କମ୍ପାନୀକୁ ଛାଡ଼ି ଅନ୍ୟ ଟେଲିକମ କମ୍ପାନୀର ସବୁ ମାଷ୍ଟର ସୁଇଚିଂ ସେଣ୍ଟରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ପୁରୀରେ ଭ୍ରାମ୍ୟମାଣ ମୋବାଇଲ ଟାଵାରର ବ୍ୟବସ୍ଥା ହୋଇଥିବାବେଳେ ଆଉ ୮ଟି ଭ୍ରାମ୍ୟମାଣ ମୋବାଇଲ ଟାଵାର ପଠାଇବାକୁ ବ୍ୟବସ୍ଥା କରାଯାଇଛି। ବାତ୍ୟା ପରଠାରୁ ଆଜି ସୁଦ୍ଧା ବର୍ତ୍ତମାନ ୫୦% ଇଣ୍ଟନନେଟ ସେବା କାର୍ଯ୍ୟକ୍ଷମ ହୋଇଛି।

ଶ୍ରୀ ସିଂହ କହିଛନ୍ତି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଏବେସୁଦ୍ଧା କୌଣସି ଟି ସ୍ଥାନରେ ମହାମାରୀ ବ୍ୟାପିବାର ଖବର ଆସିନାହିଁ। ଏଥିପାଇଁ ମୋବାଇଲ ସ୍ବାସ୍ଥ୍ୟ ୟୁନିଟ ପଠାଇ ଦିଆଯାଇଛି। ଅତିରିକ୍ତ ମୋବାଇଲ ସ୍ବାସ୍ଥ୍ୟସେବା ୟୁନିଟ ପଠାଇବାକୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିଥିବା କହିଛନ୍ତି ସରକାର। ସେହିପରି ୧୩ଟି ପ୍ରଭାବିତ ଜିଲ୍ଲାରେ ମୋଟ ୧୩୮ଟି ଆବାସିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏଥିପାଇଁ ୫ କୋଟି ୯୨ ଲକ୍ଷ ୨୪ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।

ରିଲିଫ ବଣ୍ଟନ ନେଇ ସୂଚନା ଓ ଲୋକସମ୍ପର୍କ ସଚିବ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ତତ୍କାଳ ଘୋଷଣା ଅନୁଯାୟୀ ପୁରୀରେ ୨୩.୪% ବିପନ୍ନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଖୋର୍ଦ୍ଧାରେ ୭୩.୪%, ଜଗତସିଂହପୁରରେ ୭୫.୨%, କେନ୍ଦ୍ରାପଡ଼ାରେ ୮୭.୪%, କଟକରେ ୭୩.୨% ଓ ଭୁବେନଶ୍ବରରେ ୭୭.୭% ଲୋକଙ୍କୁ ଆର୍ଥିକ ସହାୟତା ବଣ୍ଟନ କରାଯାଇଛି। ପ୍ରଭାବିତ ଜିଲ୍ଲାରେ ହାରାହାରି ୬୩.୯୪% ଚାଉଳ ବଣ୍ଟନ ହୋଇଛି। ସେଥିରୁ ପୁରୀ ଜିଲ୍ଲାରେ ୬୦.୧୪%, ଜଗତସିଂହପୁରରେ ୮୫.୫%, କେନ୍ଦ୍ରାପଡ଼ାରେ ୭୨.୯%, କଟକରେ ୬୭.୨%, ଭୁବନେଶ୍ବରରେ ୧୭.୫% ଓ ଖୋର୍ଦ୍ଧାରେ ୫୩.୩% ଚାଉଳ ବଣ୍ଟନ ହୋଇଛି। ପୁରୀରେ ୬୪% ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ଭୁବନେଶ୍ବରରେ ୭୭% ଓ ଖୋର୍ଦ୍ଧାରେ ୧୬% ବିପନ୍ନଙ୍କୁ ପଲିଥିନ୍ ବଣ୍ଟନ କରାଯାଇଛି ବୋଲି ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଅତିରିକ୍ତ ପେନସନ ଜଗତସିଂହପୁରରେ ୯୩.୮%, କଟକରେ ୮୩.୨%, ଭୁବନେଶ୍ବରରେ ୫.୮% ହିତାଧିକାରୀଙ୍କୁ ପେନସନ ରାଶି ପ୍ରଦାନ କରାଯାଇଛି। ପୁରୀ ଓ ଖୋର୍ଦ୍ଧାର ରିପୋର୍ଟ ହସ୍ତଗତ ହୋଇନଥିବା ସଚିବ କହିଛନ୍ତି।

ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧାକାଳୀନ ଭିତ୍ତିରେ ଆଗେଇ ଚାଲିଛି। କଟକର ସିଡିଡି-୧ରେ ସବୁ ୧୧ କେ.ଭି ଫିଡରର ପୁନରୁଦ୍ଧାର ସରିଛି। ସିଡିଡି-୨ର ଗ୍ରାମୀଣ ଫିଡର ମରାମତି କାମ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପନ୍ନ ହେବ। ସେହିପରି ଭୁବନେଶ୍ବର ସହରାଞ୍ଚଳର ସବୁ ଉପଭୋକ୍ତା ଆଜି ମଧ୍ୟ ରାତି ସୁଦ୍ଧା ବିଦ୍ୟୁତ ସଂଯୋଗ ପାଇବେ। ବିସିଡିଡି-୧ ଅଞ୍ଚଳର ସବୁ ଫିଡର କାର୍ଯ୍ୟକ୍ଷମ ହୋଇ ବର୍ତ୍ତମାନସୁଦ୍ଧା ୫୮ ହଜାରରୁ ୫୬ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ପୁନଃଅବସ୍ଥାପିତ କରାଯାଇଛି। ବିସିଡିଡି-୨ର ୬୬ଟି ଫିଡର କାର୍ଯ୍ୟକ୍ଷମ ହୋଇସାରିଛି। ବଳକା ଫିଡର ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହି ଫିଡରରେ ଥିବା ମୋଟ ୯୮ ହଜାର ଉପଭୋକ୍ତାଙ୍କ ଭିତରୁ ୯୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ମିଳିସାରିଛି। ଏହି ବିଦ୍ୟୁତ ଡିଭିଜନରେ ଥିବା ୧୬ଟି ଗ୍ରାମୀଣ ଫିଡରରୁ ୬ଟି କାମ ସମ୍ପୂର୍ଣ୍ଣ ହୋଇଛି। ବାକିଗୁଡ଼ିକ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସେହିପରି ବିଇଡି ଅଧୀନରେ ଥିବା ୨୮ଟି ସହରାଞ୍ଚଳ ଫିଡରକୁ ଚାଲୁ କରାଯାଇଛି। ୧୪ଟି ଗ୍ରାମୀଣ ଫିଡରରୁ ୪ଟିରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହି ଫିଡର ଅଧନୀରେ ଥିବା ମୋଟ ୮୭ ହଜାର ଉପଭୋକ୍ତାଙ୍କ ଭିତରୁ ୮୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇଦେବାରେ ସେସୁ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ପୁରୀ ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ୩୦୦ଟି ଗ୍ୟାଙ୍ଗ କାମ କରୁଛନ୍ତି। ବ୍ୟାଙ୍କିଂ ସେବାରେ ମୋଟ ପୁରୀ ଜିଲ୍ଲାରେ ୪୧ଟି ଏଟିଏମ କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧିତ ଖବର