ବିଦ୍ୟୁତ୍‌ ବିଭାଗର କ୍ଷୟକ୍ଷତି : ୪ଟି ୨୨୦ କେଭି, ୪ଟି ୧୩୨ କେଭି ଗ୍ରିଡ୍‌ ନଷ୍ଟ

ଭୁବନେଶ୍ୱର : ଫନି ପ୍ରଭାବରେ ସମଗ୍ର ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନ୍ୟ ସମସ୍ତ ବିଭାଗ ଅପେକ୍ଷା ବିଦ୍ୟୁତ୍‌ ବିଭାଗର ସର୍ବାଧିକ କ୍ଷତି ହୋଇଛି। ପ୍ରବଳ ବର୍ଷା ଓ ପବନରେ ଗଛ ଉପୁଡ଼ି ପଡ଼ିବାରୁ ଏହି ବିଦ୍ୟୁତ୍‌ ତାର ଓ ଖୁଣ୍ଟ ନଷ୍ଟ ହୋଇଛି। ଏହା ଛଡ଼ା ଟ୍ରାନ୍ସଫର୍ମର, ଟାୱାର ଓ ଗ୍ରିଡ୍‌ ପ୍ରଭାବିତ ହୋଇଛି। ତେବେ ଏଥିରେ ବିଭାଗର ୨୨୦ କିଲୋଭୋଲ୍ଟ (କେଭି) କ୍ଷମତାର ୪ଟି ଗ୍ରିଡ୍‌ ଓ ୧୩୨ କେଭି କ୍ଷମତାର ୪ଟି ଗ୍ରିଡ୍‌ ଭାଙ୍ଗି ଯାଇଥିବା ବିଭାଗ ଆକଳନ କରିଛି। ପ୍ରଭାବିତ ହୋଇଥିବା ୨୨୦ କେଭି କ୍ଷମତା ବିଶିଷ୍ଟ ଗ୍ରିଡ୍‌ ହେଉଛି ଚନ୍ଦକା, ମେଣ୍ଢାଶାଳ, କଟକ ବିଡ଼ାନାସୀ ଓ ପୁରୀ ସମଗରା। ସେହିଭଳି ପ୍ରଭାବିତ ହୋଇଥିବା ୧୩୨ କେଭି ଗ୍ରିଡ୍‌ ମଧ୍ୟରେ ପୁରୀ, ନିମାପଡ଼ା, ମଞ୍ଚେଶ୍ବର ଓ ରଣସିଂହପୁର ରହିଛି। ୪୪ କେଭି ଟାୱାର ୫ଟି ଭାଙ୍ଗି ମାଟିରେ ଲୋଟୁଥିବା ବେଳେ ୨୭ଟି ୨୨୦ କେଭି ଟାୱାର, ୨୧ଟି ୧୩୦ କେଭି ଟାୱାରର ମଧ୍ୟ ଅନୁରୂପ ଅବସ୍ଥା ହୋଇଛି। ସେହିପରି ୫ହଜାର ୩୦ କିଲୋମିଟର ଲମ୍ବାର ୩୩ କେଭି ତାର ଛିଣ୍ଡି ପଡ଼ିଥିବା ବେଳେ ୩୮ହଜାର ୬୧୩ କିଲୋମିଟରର ୧୧ କେଭି ତାର ଓ ୭୯ ହଜାର ୪୮୫ କିଲୋମିଟର ଏଲ୍‌ଟି ଲାଇନ୍‌ ମଧ୍ୟ ନଷ୍ଟ ହୋଇଛି। ଯାହା ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ୧୧ ହଜାର ୭୭ଟି ଟ୍ରାନ୍ସଫର୍ମର ପବନ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ଖୁଣ୍ଟରେ ବସିଥିବା ଟ୍ରାନ୍ସଫର୍ମର ଉଡ଼ି ଖଣ୍ଡେ ଦୂରରେ ପଡ଼ିଥିବା ବେଳେ ସ୍ବତନ୍ତ୍ର ପ୍ଲାଟଫର୍ମ କରାଯାଇ ବସାଯାଇଥିବା ଟ୍ରାନ୍ସଫର୍ମର ମଧ୍ୟ ପ୍ରଭାବିତ ହୋଇଛି। ଏ ସବୁକୁ ହିସାବ କରି ବିଭାଗ ୧୨ଶହ କୋଟିର କ୍ଷୟକ୍ଷତି ହୋଇଥିବା ଦର୍ଶାଇଛି।

ପୁନରୁଦ୍ଧାର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ସେସୁ କହିଛି। ଓଡ଼ିଶା ବାହାରୁ ୪ ଦଫାରେ ୨ହଜାରରୁ ଊର୍ଧ୍ବ ଶ୍ରମିକଙ୍କୁ ଅଣାଯାଇଛି। ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା ଶ୍ରମିକମାନଙ୍କୁ ଦେଢ଼ଗୁଣା ମଜୁରି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଦୁଇଦିନ ମଧ୍ୟରେ ରାଜଧାନୀରେ ଥିବା ୮୮ଫିଡର୍‌ରୁ ୨୦ଟି ଚାର୍ଜ କରାଯାଇ ୨୫ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେବାପାଇଁ ବିଭାଗ ଘୋଷଣା କରିଥିଲା। ଦୁଇଦିନ ପରେ ୭ଟି ଫିଡର୍‌ ଚାର୍ଜ କରାଯାଇ ଜରୁରୀ ସେବା ପ୍ରଦାନ କରାଯାଇଥିଲା। ଜରୁରୀ ସେବା ସହ ରାଜଭବନ, ବିଧାନସଭା ଓ ନବୀନ ନିବାସ ରହିଥିଲା। ଏଯାବତ୍‌ ୨୫ ପ୍ରତିଶତ ଉପଭୋକ୍ତା ବିଦ୍ୟୁତ୍‌ ସେବା ପାଇ ନାହାନ୍ତି। ତେବେ ଆଜି ସୁଦ୍ଧା ୨୨ଟି ଫିଡର ଚାର୍ଜ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଆବଶ୍ୟକ ହେଉଥିବା ବିଦ୍ୟୁତ୍‌ ଶକ୍ତିର ମାତ୍ର ୧୫ ପ୍ରତିଶତ ଏବେ ବ୍ୟବହାର ହୋଇଛି। ଚନ୍ଦକା ଫିଡର୍‌ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେଥିରୁ ସଂଯୋଗ ଆଣିବା ପାଇଁ ବିଭାଗ ଉଦ୍ୟମ ଚଳାଇଛି। ଚନ୍ଦକା ସହ ମେଣ୍ଢାଶାଳ ଓ ମଞ୍ଚେଶ୍ବର ଗ୍ରିଡ୍‌ ମଧ୍ୟ ନଷ୍ଟ ହୋଇଛି। ଫଳରେ ଏସବୁ ଫିଡର୍‌ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏଣୁ ସେସୁ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଚାହୁଁଥିବା ଜାଗାଗୁଡ଼ିକରେ ସଂଯୋଗ ପହଞ୍ଚିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର