ପୁରୀ : ପୁରୀ ଜିଲ୍ଲାରେ ‘ଫନି’ ପରେ ସରକାରୀ ନିର୍ଯାତନା ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା। ବିପନ୍ନଙ୍କ ଆକାଉଣ୍ଟ୍କୁ କିଏ ଅଚଳ କଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ଏସ୍ଆରସିଙ୍କ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରିବା ସହିତ ଅତିରିକ୍ତ ଏସ୍ଆରସି ଏ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ତୁରନ୍ତ ବିପନ୍ନଙ୍କ ଆକାଉଣ୍ଟ୍କୁ ସଚଳ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଥିଲେ।
ଏସ୍ଆରସିଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚଳ ଆକାଉଣ୍ଟ୍କୁ ସଚଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ ଆକାଉଣ୍ଟ୍କୁ ସଚଳ କରିଦିଆଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯେଉଁମାନେ ଅଯୋଗ୍ୟ ବିପନ୍ନ, ସେମାନଙ୍କ ଆକାଉଣ୍ଟ୍ ବନ୍ଦ ରହିବ। ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ। ଯଦି ସେମାନେ ଟଙ୍କା ଖର୍ଚ୍ଚ କରି ସାରିଥିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ଅଯୋଗ୍ୟ ବିପନ୍ନଙ୍କୁ ତାଲିକାରେ ସାମିଲ କରିଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରକାଶଥାଉକି, ପ୍ରଶାସନ ଦୁଇ ମାସ ଧରି ଲୋକଙ୍କ ଆକାଉଣ୍ଟ୍କୁ ଅଚଳ କରି ହଇରାଣ କରିଥିବାରୁ ପୁରୀର ବିଭିନ୍ନ ସଂଗଠନ ପକ୍ଷରୁ ଏହାର ବିରୋଧ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/fani-f.jpg)