ଫନି ବିଭୀଷିକା: ୧୧,୦୭୭ ଟ୍ରାନ୍ସଫର୍ମର୍‌ ଓ ୭୯,୪୮୫ କିଲୋମିଟର ଦୀର୍ଘ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି

ଭୁବନେଶ୍ୱର: ପ୍ରଳୟଙ୍କକାରୀ ବାତ୍ୟା ‘ଫନିି’ ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାର ୧୩୭ଟି ବ୍ଲକ ଏବଂ ୪୬ ସହରାଞ୍ଚଳର ୧୪,୮୩୫ ଗାଁର ୧ କୋଟି ୭ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର,ଭଦ୍ରକ,କଟକ ,ଢେଙ୍କାନାଳ,ଗଞ୍ଜାମ ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡ଼ା,ଖୋର୍ଦ୍ଧା,ମୟୁରଭଂଜ ଏବଂ ପୁରୀ। ଘଣ୍ଟା ପ୍ରତି ୨୦୦ କିଲୋମିଟର ଅଧିକ ବେଗରେ ପ୍ରବାହିତ ଏହି ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବ୍ୟାହତ ହୋଇଛି। ବାତ୍ୟା ଯୋଗୁଁ ୫ଟି ୪୦୦ କେ.ଭି ବିଦ୍ୟୁତ ଟାଓ୍ଵାର,୨୭ଟି ୨୨୦ କେ.ଭି ଟାଓ୍ଵାର୍‌ ଏବଂ ୨୧ ଟି ୧୩୦ଟି କେ.ଭି ଟାଓ୍ଵାର ଧ୍ୱସ୍ତବିଧ୍ୱସ୍ତ ହୋଇଛି।

ଚନ୍ଦକା,ବିଡ଼ାନାସୀ, ସମାଗ୍ରା,ମେଣ୍ଢାଶାଳରେ ଥିବା ପାଞ୍ଚୋଟି ୪୦୦ କେ.ଭି ବିଦ୍ୟୁତ ଟାଓ୍ଵାର ଏବଂ ପୁରୀ ,ନିମାପଡ଼ା,ମଞ୍ଚେଶ୍ୱର ଏବଂ ରଣସିଂହପୁରଠାରେ ଥିବା ଚାରୋଟି ୧୩୨ କେ.ଭି ଗ୍ରୀଡ଼୍‍ ନଷ୍ଟ ହୋଇଯାଇଛି। ୫୦୩୦ କିଲୋମିଟର ଦୀର୍ଘ ୩୩ କେ.ଭି ଲାଇନ୍‌ ,୧୧,୦୭୭ ବିଦ୍ୟୁତ୍‌ ବଣ୍ଟନ ଟ୍ରାନ୍ସଫର୍ମର୍‌ ଏବଂ ୭୯,୪୮୫ କିଲୋମିଟର ଦୀର୍ଘ ସ୍ୱଳ୍ପ ଟ୍ରାନ୍ସମିସନ୍‌ କ୍ଷମତା ବିଶିଷ୍ଟ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି।

ପୁରୀ ଜିଲ୍ଲା ଓ ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାର ବ୍ୟାପକ ଅଂଚଳରେ ମୋବାଇଲ୍‌ ଟାଓ୍ଵାର୍‌ ଭାଙ୍ଗିପଡ଼ିଥିବାରୁ ଟେଲି ଯୋଗାଯୋଗ ସଂପୂର୍ଣ୍ଣ ବ୍ୟାହତ ହୋଇଛି। ବାତ୍ୟା ଯୋଗୁଁ ୧୦୩୧ ସରକାରୀ ସ୍ୱସ୍ଥ୍ୟକେନ୍ଦ୍ର ଭାଙ୍ଗିରୁଜ ଯାଇଥିବା ବେଳେ ୫୨୪୪ ପ୍ରାଥମିକ ବିଦ୍ୟାଳୟ ଏବଂ ୫୪୭ ମାଧ୍ୟମିକ ବିଦ୍ୟାଳୟ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଛି।

ଫନି ବାତ୍ୟା ଯୋଗୁଁ ୯୮୦.୬୯ କିଲୋମିଟର ଦୀର୍ଘ ନଦୀ ଓ ଲୁଣୀ ବନ୍ଧ ଭାଙ୍ଗି ଯାଇଥିବା ବେଳେ ୨୨୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ୫୫୯୬ କିଲୋମିଟର ଦୀର୍ଘ ରାସ୍ତା ଓ ୩୨୬ଟି ଛୋଟବଡ଼ ସେତୁ ଭାଙ୍ଗିଯାଇଛି। ।ଶହଶହ ସଂଖ୍ୟାରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିବା ଫଳରେ ୫୫୬ଟି ରାସ୍ତା ଅବରୋଧ ହୋଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ୯୬୯୩.୨୫ କିଲୋମିଟର ଦୀର୍ଘ ରାସ୍ତା ଏବଂ ୪୬୧୦ ଟି କୋଠା ଭାଙ୍ଗି ଯାଇଥିବାର ଜଣାଯାଇଛି।

ସମ୍ବନ୍ଧିତ ଖବର