ରାଜ୍ୟର ୪୧୪ କୋଟି ଟଙ୍କାର ସମ୍ପତ୍ତି ଖାଇଗଲା ‘ଫନି’

ଭୁବନେଶ୍ୱର: ବାତ୍ୟା ‘ଫନି’ ଆଁରେ ନଷ୍ଟଭ୍ରଷ୍ଟ ହୋଇଯାଇଛି ଅଧା ଓଡ଼ିଶା। ଓଡ଼ିଶାର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସାମୁଦ୍ରିକ ବାତ୍ୟା ଫନି ଯୋଗୁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ୪୧୪ କୋଟି କ୍ଷୟକ୍ଷତିର ଆକଳନ କରାଯାଇଛି। ଅନେକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ୧୪ଟି ପ୍ରଭାବିତ ଜିଲ୍ଲାରେ ୬ ହଜାର ୪୯୮ ସ୍କୁଲକୁ କ୍ଷତି ପହଞ୍ଚିଛି। କେବଳ ପୁରୀରେ ହିଁ ୨୧୩୪ଟି ବିଦ୍ୟାଳୟର ଅବସ୍ଥା ଏବେ ସଙ୍ଗୀନ।

ଅନ୍ୟପଟେ ପୁରୀରେ ୧୭.୪୫ ପ୍ରତିଶତ ଏଟିଏମ କାମ କରୁଛି। ଖୋର୍ଦ୍ଧାରେ ୪୭.୮ ପ୍ରତିଶତ, କଟକ ୫୪.୩୪ ପ୍ରତିଶତ, ଜଗତସିଂହପୁରରେ ୬୧.୩୭ ପ୍ରତିଶତ, ଗଞ୍ଜାମରେ ୯୨.୯୧ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୬୬.୦୮ ପ୍ରତିଶତ ଏଟିଏମ୍‌ ଏବେ କାର୍ଯ୍ୟକ୍ଷମ ଅଛନ୍ତି। ଏହାବ୍ୟତୀତ ରାଜଧାନୀ ଭୁବନେଶ୍ୱରରେ ୫୬ ପ୍ରତିଶତ ଟାୱାର କାମ କରୁଥିବା ବେଳେ ପୁରୀରେ ୧୮ ପ୍ରତିଶତ ଟାୱାର କାର୍ଯ୍ୟକ୍ଷମ ରହିଛି। ବ୍ୟାଙ୍କ ସେବା ବିଷୟରେ ଆଲୋଚନା କଲେ ପୁରୀରେ ବର୍ତ୍ତମାନ ସମୟରେ ୭୫.୨୨ ପ୍ରତିଶତ ବ୍ରାଞ୍ଚ କାମ କରୁଥିବା ବେଳେ ଖୋର୍ଦ୍ଧା ରେ ୮୨.୯୫ ପ୍ରତିଶତ ବ୍ରାଞ୍ଚ କାର୍ଯ୍ୟକ୍ଷମ ରହିଛି।

ରାଜଧାନୀର କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ରହିଛି। କଳିଙ୍ଗନଗର ଓ ଉତ୍ତରାରେ କିଛି ଅଂଶରେ ଏବେ ବି ସମସ୍ୟା ଘେରରେ କାଳାତିପାତ କରୁଛନ୍ତି ଲୋକେ। ଦିନେ ଦୁଇ ଦିନ ଭିତରେ ରାଜଧାନୀରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଯିବ। ଅନ୍ୟପଟେ ପୁରୀରେ ଆସନ୍ତା ୧୫ ସୁଦ୍ଧା ସମସ୍ତ ସ୍ଥାନକୁ ବିଜୁଳି ସଂଯୋଗ ଦିଆଯିବ ବୋଲି ସୂଚନା ରହିଛି। ବଡ଼ଦାଣ୍ଡରେ ବର୍ତ୍ତମାନ ଡିଜି ସେଟ୍‌ ଜରିଆରେ ବିଜୁଳି ଦିଆଯାଉଛି।

ସମ୍ବନ୍ଧିତ ଖବର