ପୁଣି ସେହି କାଳ ଶୁକ୍ରବାର : ଛାତି ଥରାଉଛି ‘ଫନି’

ଜଗତସିଂହପୁରରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର, ପାରାଦୀପ-ଏରସମାରେ ବ୍ୟାପକ ସତର୍କତା

ଜଗତସିଂହପୁର/ଏରସମା : ୨୦ ବର୍ଷ ପରେ ପୁଣି ସୃଷ୍ଟି ହୋଇଛି ବାତ୍ୟା ଆତଙ୍କ। ବଙ୍ଗୋପସାଗରରୁ ଓଡ଼ିଶାର ସ୍ଥଳଭାଗକୁ ମାଡ଼ି ଆସୁଥିବା ‘ଫନି’ର ଉଗ୍ର ରୂପକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ‘ଫନି’ ଲ୍ୟାଣ୍ଡଫଲ୍ କରିବାର ସମୟ ଯେତିକି ପାଖେଇ ଆସୁଛି, ୧୯୯୯ ମହାବାତ୍ୟାକୁ ପ୍ରତ୍ୟକ୍ଷ କରିଥିବା ଜଗତସିଂପୁରବାସୀଙ୍କ ଛାତି ସେତେ ଧଡ଼ଧଡ଼ ହେବାରେ ଲାଗିଛି। ୧୯୯୯ ଅକ୍ଟୋବର ୨୮/୨୯ ଗୁରୁ ଓ ଶୁକ୍ରବାରର କାଳରାତିରେ ଘଟିଥିବା ପ୍ରଳୟକୁ ମନେ ପକାଇ ଦେଉଛି। ଏଥର ବି ‘ଫନି’ ଯୋଗୁଁ ପୁରୀ ଓ ଜଗତସିଂହପୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏମିତିକି କିଛି ଲୋକ ଘର ଛାଡ଼ି ବାହାର ଜିଲ୍ଲାରେ ରହୁଥିବା ସେମାନଙ୍କ ବନ୍ଧୁବାନ୍ଧବଙ୍କ ନିକଟକୁ ଚାଲି ଯାଉଥିବା ଦେଖାଯାଉଛି।

୧୯୯୯ ମହାବାତ୍ୟାରେ ଏରସମା ବ୍ଲକ୍ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଜଗତସିଂହପୁର ଜିଲ୍ଲାରେ ମହାବାତ୍ୟାରେ ସରକାରୀ ରିପୋର୍ଟ ଅନୁଯାୟୀ ପାଖାପାଖି ୧୦ ହଜାର ଲୋକଙ୍କ ଜୀବନହାନି ଘଟିଥିବା ବେଳେ ଓ ଲକ୍ଷାଧିକ ପଶୁପକ୍ଷୀ ପ୍ରା‌ଣ ହରାଇଥିଲେ। ଏଣୁ ଫନିର ମୁକାବିଲା ସହ କ୍ଷୟକ୍ଷତି ଯଥା ସମ୍ଭବ କମ କରିବାକୁ ଜିଲ୍ଳା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ‘ଫନି’ ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଓ ବିଶ୍ବଜିତ ଦାଶଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ୧୯୯୯ ମହାବାତ୍ୟା ସମୟରେ ଶ୍ରୀ ମିଶ୍ର ଜଗତସିଂହପୁର ଜିଲ୍ଲାର ପକଳ୍ପ ନିେର୍ଦ୍ଦଶକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଶ୍ରୀ ଦାସ ମଧ୍ୟ ଦୀର୍ଘ ଦିନ ଧରି ଜିଲ୍ଲାରେ ପ୍ର୍ରକଳ୍ପ ନିେର୍ଦ୍ଦଶକ ଭାବେ କାର୍ଯ୍ୟ କରିଛନ୍ତି। ଏଣୁ ଜିଲ୍ଲାକୁ ମାଡ଼ି ଆସୁଥିବା ବିପଦ ପାଇଁ ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତା ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

ଜିଲ୍ଲାର ଆଠଟି ଯାକ ବ୍ଲକ୍ ଓ ଦୁଇଟି ପୌରପାଳିକା ତଳୁଆ ଅ‌ଳରେ ରହୁଥିବା ପାଖାପାଖି ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ରିପୋର୍ଟ ଲେଖା ହେବା ସୁଦ୍ଧା ପାଖାପାଖି ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି। ବିଶେଷ କରି ପାରାଦୀପ ଓ ଏରସମା ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ପାରାଦୀପରେ ୧୦ ହଜାର ଲୋକଙ୍କୁ ଥଇଥାନ କରିବାକୁ ଯୋଜନ ରହିଛି। ପୌରପାଳିକା ପକ୍ଷରୁ ସମୁଦ୍ର୍ର କୂଳରେ ରହୁଥିବା ଷଣ୍ଢକୁଦ ବସ୍ତି, ବଙ୍ଗାଳିପଡ଼ା, ଲକ୍ପଡ଼ା, ମୁଣ୍ତାପଡ଼ା, ଉଦୟବଟ ଭଳି ବିଭିନ୍ନ ତଳିଆ ଅ‌ଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ପୌରପାଳିକା ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ରହିବା ପାଇଁ ପୌରପାଳିକା କଲ୍ୟାଣ ମଣ୍ତପ, ନେହେରୁ ବଙ୍ଗଳା ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କ ତତ୍ତ୍ବାବଧାନାରେ ଶୁଖିଲା ଖାଦ୍ୟ ମହଜୁଦ୍‌ ରଖାଯାଇଛି। ପାରାଦୀପରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ସୂଚନା ଦେଇଛନ୍ତି। ବନ୍ଦର ମଧ୍ୟରୁ ୬ଟି ଜାହାଜ ଖାଲି କରି ସମୁଦ୍ର ମଧ୍ୟକୁ ପଠାଇ ଦିଆଯାଇଛି। ପ୍ରବଳ ପବନ ଯୋଗୁଁ କୂଳରେ ବାେଡ଼ଇ ହୋଇ ଜାହାଜ ଭାଙ୍ଗିଯିବା ସମ୍ଭାବନା ଥିବାରୁ, ବନ୍ଦର କର୍ତ୍ତୃପକ୍ଷ ଏମିତି ନିଷ୍ପତ୍ତି ନେଇଛନ୍ତି।

୧୯୯୯ ମହାବାତ୍ୟା ସମୟରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଠିକ୍ ନ ରହିବାରୁ ଶିଳ୍ପ ସଂସ୍ଥାରୁ ଗ୍ୟାସ୍‌ ଲିକ୍ ହୋଇଥିଲା। ଏମିତିକି ଏହି ଗ୍ୟାସ୍‌ ଟାଙ୍କି ଫାଟିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। ଏଣୁ ‘ଫନି’କୁ ନେଇ ମଧ୍ୟ ପାରାଦୀପ ଓ ଏହାର ନିକଟବର୍ତ୍ତୀ ଅ‌ଞ୍ଚଳରେ ଲୋ‌େକ ଭୟଭୀତ ହୋଇପଡ଼ିଛନ୍ତି। ପାରାଦୀପରେ ଦୁଇଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ପର୍ଯ୍ୟାପ୍ତ ପରିମାଣରେ ଆମୋନିଆ, ସଲଫ୍ୟୁରିକ୍ ଏସିଡ୍, ପଟାସ ଭଳି ଗ୍ୟାସ୍‌ ମହଜୁଦ୍‌ ରହିଛି। ଏଣୁ ବାତ୍ୟା ସମୟରେ କୌଣସି ସମସ୍ୟା ହେଲେ କେବଳ ପାରାଦୀପ ନୁହେଁ ୫୦ କି.ମି ପର୍ଯ୍ୟନ୍ତ ରହୁଥିବା ଲୋକମାନେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପଟେ ବାତ୍ୟା ଆଶଙ୍କା ଯୋଗୁଁ ପାରାଦୀପରେ ଆଜି ଆଳୁ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ୪୦ ଟଙ୍କା ଓ ଟମାଟୋ ୪୦ ଟଙ୍କା କିଲୋ ବିକ୍ରି ହେଉଛି।

ସେହିଭଳି ପ୍ରଶାସନ ପକ୍ଷରୁ ଏରସମାରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏରସମା ବ୍ଲକର ୧୧ଟି ପଂଚାୟତରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ପଦ୍ମପୁରରୁ ୭ ହଜାର, ଗୋଡ଼ାରୁ ୩ ହଜାର, ଗଡ଼ ହରିଶପୁରରୁ ୨ ହଜାର, ଗଡ଼ କୁଜଙ୍ଗରୁ ୪ ହଜାର ଓ ଆମ୍ବିକିରୁ ୫ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଉଛି। ଆଜି ଶିଆଳି ନିକଟରେ ସମୁଦ୍ର ଦିନ ସାରା ଅଶାନ୍ତ ରହିବା ସହ ଜୁଆ‌ର କୂଳରେ ମାଡ଼ ହେଉଛି। ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଏରସମାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ମୋବାଇଲ– ୭୦୦୮୫୩୩୨୫୫) ଓ ଥାନା ଇନ୍ସପେକ୍ଟର (୯୪୩୭୬୧୧୨୨୫)ଙ୍କୁ ସ୍ଥିତି ମୁକାବିଲା ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର