ଭୁବନେଶ୍ବର : ‘ଫନି’ ରେ କ୍ଷତି ହୋଇଥିବା ଘର ବଦଳରେ ପକ୍କାଘର ଯୋଗାଇ ଦିଆଯିବ। ଆଉ ଜୁନ ମାସ ପହିଲାରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ। କମ୍ ସମୟ ମଧ୍ୟରେ ସର୍ଭେ ଓ କାର୍ଯ୍ୟାଦେଶ ପ୍ରଦାନ କରାଯାଉଥିବାରୁ ଯେମିତି ଅନିୟମିତତା ନ ହୁଏ, ସେଥି ପ୍ରତି ପଞ୍ଚାୟତିରାଜ ବିଭାଗ ଆଗୁଆ ସଜାଗ ହୋଇଯାଇଛି। ଘର ଭଙ୍ଗା ସର୍ଭେ ବେଳେ ପ୍ରତି ଘରକୁ ଜିଓ ଟାଗିଂ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ପକ୍କା ଘର ଯୋଜନାରୁ ବାଦ୍ ନ ପଡ଼ନ୍ତି, ସେଥି ପ୍ରତି ସତର୍କ ରହିବାକୁ କୁହାଯାଇଛି।
ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ବାତ୍ୟା ପ୍ରଭାବିତ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଚିଠିରେ ସେ ଦର୍ଶାଇଛନ୍ତି, 'ଫନି' ପ୍ରଭାବିତ ଗ୍ରାମୀଣ ଅଞ୍ଚଳରେ ଭାଙ୍ଗିଯାଇଥିବା ଲୋକଙ୍କ ଘରକୁ ପକ୍କା ଘରରେ ପରିଣତ କରାଯିବ। ଏଥି ପାଇଁ ସବୁ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରାଯିବ। ୧୫ ତାରିଖରୁ ରାଜସ୍ବ ନିରୀକ୍ଷକମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି। ସର୍ଭେ ବେଳେ ନଷ୍ଟ ହୋଇଥିବା ଘରର ଜିଓ ଟାଗିଂ କରାଯିବ। ନୂଆ କରି ବିକଶିତ ହୋଇଥିବା ମୋବାଇଲ ଆପ୍ 'ଆମ ଘର' ଆପ୍ରେ ଏହି ଟାଗିଂର ଫଟୋକୁ ଅପ୍ଲୋଡ କରି ଗ୍ରାମୀଣ ବାସଗୃହ ଯୋଜନା ପାଇଁ ଉଦ୍ଦିଷ୍ଟ ସରକାରଙ୍କ େଵବସାଇଟ ଆର.ଏଚ୍. ଓଡ଼ିଶା ପୋର୍ଟାଲରେ ମେଳ କରାଯିବ। ଫଳରେ ଆଉ କୌଣସି ପ୍ରକାର ଜାଲିଆତି ହୋଇପାରିବ ନାହିଁ। ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ପକ୍କାଘର ଯୋଜନାରେ ସାମିଲ ହୋଇପାରିବେ। ରାଜସ୍ବ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଘରଭଙ୍ଗା ରିପୋର୍ଟ ପ୍ରକୃତ କ୍ଷେତ୍ର ଉପରେ ଯାଞ୍ଚ କରାଯିବ। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ପଞ୍ଚାୟତି ରାଜ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରି ଘରଭଙ୍ଗା ରିପୋର୍ଟ ପ୍ରସ୍ତୁତ କରିପାରିବେ। କିନ୍ତୁ ସମ୍ପୃକ୍ତ ଗାଁ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ସୂଚିତ କରିବାକୁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜିଓ ଟାଗିଂ କରିବାକୁ ସ୍ଥାନୀୟ ଯୁବକଯୁବତୀ, ଯୋଗାଣ ସହାୟକ, ବିଜୁ ଯୁବ ବାହିନୀ, ସିଆର୍ପି ଏବଂ ସିପିମାନଙ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏହା ସହିତ ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ସଂଖ୍ୟକ କର୍ମୀଙ୍କୁ ନିୟୋଜିତ କରି ଜିଓ ଟାଗିଂ କାର୍ଯ୍ୟ ଜିଲ୍ଲାପାଳମାନେ ସମ୍ପାଦନ କରିପାରିବେ। ପ୍ରତି ଘର ଜିଓ ଟାଗିଂ କରିବା ପୂର୍ବରୁ ସମ୍ପୃକ୍ତ ବ୍ଲକ ବିଡିଓ ଜିଓ ଟାଗିଂ କରିବାକୁ ଯାଉଥିବା ଯୁବକ ଯୁବତୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିବେ। ଟାଗିଂ କାର୍ଯ୍ୟ ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତି ଘର ପିଛା ୫୦ ଟଙ୍କା ଲେଖାଏ ସରକାର ପ୍ରଦାନ କରିବେ। ଏହି ଅର୍ଥ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଥିବା ପ୍ରାଶାସନିକ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ସଚିବ ସ୍ପଷ୍ଟ କରିଛନ୍ତି। ପୁରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ବ୍ଲକଵାରି ୪ ଜଣ ଅତିରିକ୍ତ ବୈଷୟିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 'ଫନି' ଦ୍ବାରା ପ୍ରଭାବିତ ହୋଇନଥିବା ଗ୍ରାମୀଣ ବାସଗୃହ ଯୋଜନାର କର୍ମଚାରୀଙ୍କୁ ୧୧ଟି ପ୍ରଭାବିତ ଜିଲ୍ଲାରେ ମଧ୍ୟ ନିୟୋଜିତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ପକ୍କାଘର ପାଇଁ କାର୍ଯ୍ୟାଦେଶ ଆସନ୍ତା ଜୁନ ପହିଲାରୁ ପ୍ରଦାନ କରାଯିବ। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ନମ୍ବର, ଜମି ପଟ୍ଟା, ଜବ୍ କାର୍ଡ଼ ପ୍ରମାଣ ପତ୍ର ସରକାରଙ୍କ ଆର.ଏଚ୍. ଓଡ଼ିଶା ପୋର୍ଟାଲରେ ଚଳିତ ମାସ ୩୧ ତାରିଖ ସୁଦ୍ଧା ବ୍ଲକ କର୍ମଚାରୀ ପଞ୍ଜୀକୃତ କରିବେ। ଜିଲ୍ଲାପାଳମାନେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ କ୍ଷତି ହୋଇଥିବା ଘରର ବିସ୍ତୃତ ବିବରଣୀ ପଞ୍ଚାୟତିରାଜ ବିଭାଗକୁ ପଠାଇବେ। ଏହା ସହିତ ବାତ୍ୟା ଦ୍ବାରା ଅତିମାତ୍ରାରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଘରଭଙ୍ଗା କ୍ଷୟକ୍ଷତି ଆକଳନ ପାଇଁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ପୃକ୍ତ ଜିଲ୍ଲାର ବ୍ଲକ୍ଗୁଡ଼ିକରେ ଜିଓ ଟାଗିଂ ବ୍ୟବସ୍ଥାର ତଦାରଖ ପାଇଁ ମଧ୍ୟ ନିୟୋଜିତ କରାଯାଇଛି।