୧୯୯୯ ମହାବାତ୍ୟା ତୁଳନାରେ ‘ଫନି’ର ଶକ୍ତି ଓ ପ୍ରଭାବ କମ ରହିବ

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଏବେ ଓଡ଼ିଶା ଆଡକୁ ମାଡିଆସୁଛି । ଏହାକୁ ଅତି ଭୟାନକ ସାମୁଦ୍ରିକ ବାତ୍ୟା ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପରିଣତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ଶୁଣି ସମସ୍ତଙ୍କ ମନରେ ୧୯୯୯ ମହାବାତ୍ୟାର ବିଭୀଷିକା କଥା ମନେ ପଡୁଛି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଫନିର ପ୍ରକୋପ ଫାଇଲିନ ଓ ତିତଲିଠାରୁ ଅଧିକ ରହିବ । କିନ୍ତୁ ଏହା ମହାବାତ୍ୟା ବା ସୁପରସାଇକ୍ଲୋନ ସ୍ତରକୁ ଯିବାର ସମ୍ଭାବନା କମ । କାରଣ ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର ଟପିଲେ ତାହାକୁ ମହାବାତ୍ୟା ବୋଲି କୁହାଯାଇପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି କେଜେ ରମେଶ ।

୧୯୯୯ ସୁପରସାଇକ୍ଲୋନର ସାଟେଲାଇଟ ଚିତ୍ର

୧୯୯୯ ମହାବାତ୍ୟା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟର ଟପିଯାଇଥିଲା । ଏଥର ସେ ଆଶଙ୍କା ନାହିଁ । କାରଣ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରରୁ କମ ରହିବ । ଅବଶ୍ୟ ଗତ ୧୧୮ ବର୍ଷ ମଧ୍ୟରେ ଏପ୍ରିଲରେ ଲାଣ୍ଡଫଲ କରିବାରେ ଫନି ହେବ ୨ୟ ସାମୁଦ୍ରିକ ବାତ୍ୟା । ୧୯୯୯ ମହାବାତ୍ୟାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । କିନ୍ତୁ ଅତି ଭୀଷଣ ବାତ୍ୟା ଫନି ଯୋଗୁଁ ମୃତାହତ ସଂଖ୍ୟା ଯଥେଷ୍ଟ କମ ହେବ ବୋଲି କୁହାଯାଉଛି । କାରଣ ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଜ୍ଞାନକୌଶଳରେ ଅନେକ ଉନ୍ନତି ହୋଇଛି । ପ୍ରାୟ ଏକ ସପ୍ତାହ ଆଗରୁ ବାତ୍ୟା ସୂଚନା ସଠିକ ଭାବେ ମିଳିପାରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପଦକ୍ଷେପ ନେଉଛି । ଏଣୁ ଆଜି କାଲି ଘରଦ୍ୱାର ଓ ଗଛପତ୍ର ନଷ୍ଟ ହେଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଆଦୌ ରହୁନାହିଁ ବା ହାତଗଣତି ରହୁଛି ।

ସମ୍ବନ୍ଧିତ ଖବର