ଭୁବନେଶ୍ୱର : ଓଡ଼ିଶା ଆଡକୁ ମାଡ଼ିିଆସୁଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୩ଟି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, କେନ୍ଦ୍ରାପଡା ଓ ପୁରୀର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାପାଳ ଓ ଅନ୍ୟ ବରିିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାମୁଖ୍ୟାଳୟ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ନୌସେନା ଓ ଏନଡିଆରଏଫର ଅଧିକାରୀମାନେ ଯୋଗ ଦେଇଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ୨୦ଟି ଓଡ୍ରାଫ, ୧୨ଟି ଏନଡିଆରଏଫ ଓ ରାଜ୍ୟ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି ।

Advertisment

ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର, ପୁଡୁଚେରୀ, ତାମିଲନାଡୁ,ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପର ମୁଖ୍ୟ ଶାସନ ସଚିବ ମାନଙ୍କ ସହ ଭିଡିଓ କନଫରେନ୍ସିରେ ସ୍ଥିତିର ସମୀକ୍ଷା କରାଯାଇଛି । ବୈଠକ ପରେ ରାଜ୍ୟ ସରକାରଙ୍କମାନଙ୍କୁ ସତର୍କ ରହି ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଏହା ସହିତ ନୌସେନା ଓ କୋଷ୍ଟଗାର୍ଡ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରଖି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରି କୁହାଯାଇଛି ।

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନର ତାତି ଥମିନଥିବା ବେଳେ ଏପଟେ ବଙ୍ଗୋପସାଗରରୁ ଏକ ବାତ୍ୟାର ଆଶଙ୍କା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଦୁଇ ଦିନ ତଳେ ବାତ୍ୟା ଫୋନି, ତାମିଲନାଡୁ କିମ୍ବା ମିଆଁମାର ଆଡକୁ ଯାଉଥିବା ନେଇ ଖବର ଆସିବା ପରେ ଏବେ ଏହାର ଗତିପଥ ବଦଳି ଯାଇଛି । ବାତ୍ୟା ଫୋନି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଗତିକରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟ ବିଶ୍ୱସ୍ତରୀୟ ପାଣିପାଗ ସଂସ୍ଥା ଆମେରିକା ନେଭି ମଧ୍ୟ ଅନୁରୁପ ଆକଳନ କରିଛି । ଦୁଇ ତାରିଖ ସୁଦ୍ଧା ଏହି ବାତ୍ୟା ‘ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ର ରୁପ ନେବାକୁ ଯାଉଛି ।