ପୁରୀଠାରୁ ୬୧୦ କିଲୋମିଟର ଦୂରରେ ଫନି, ଡପଲର ରାଡର ରଖିଛି ନଜର

ଭୁବନେଶ୍ୱର : ପୁରୀର ଆହୁରି ନିକଟତର ହୋଇଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି । ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀଠାରୁ ୬୧୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତରକୁ ଗତି କରିବ ଓ ତାପରେ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଆସନ୍ତା ଶୁକ୍ରବାର ଅପରାହ୍ଣ ୩.୩୦ରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ । ଅନ୍ୟପକ୍ଷରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଡପଲର ରାଡାରର ରେଞ୍ଜ ମଧ୍ୟକୁ ଆସିଯିବ । ବାତ୍ୟା ରାଡାର ରେଞ୍ଜ ମଧ୍ୟକୁ ଆସିଲେ ପ୍ରତି ୧୦ ମିନିଟରେ ବାତ୍ୟାର ସ୍ଥିତି ଜାଣିହେବ । ଗୋପାଳପୁର, ଚେନ୍ନାଇ, ବିଶାଖାପାଟଣା ଓ ମଛିଲିପଟ୍ଟନମଠାରେ ଥିବା ଡପଲର ରାଡାର ମାଧ୍ୟମରେ ଏହି ବାତ୍ୟା ଉପରେ ନଜର ରଖାଯାଇଛି ବୋଲି ଭାରତୀୟ ପାଣିିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଡପଲର ରାଡାର ମାଧ୍ୟମରେ ସାମୁଦ୍ରିକ ବାତ୍ୟା, ଅତ୍ୟଧିକ ବର୍ଷା, ଲଘୁଚାପ ଆଦିର ସଠିକ ପୂର୍ବାନୁମାନ କରିହୁଏ । ଆହୁରି ମଧ୍ୟ ପ୍ରକୃତ କେଉଁ ସ୍ଥାନରେ ଏକ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବ ତାହାର ସଠିକ ପୂର୍ବାନୁମାନ କରିହୁଏ । ପୂର୍ବରୁ ପ୍ରଚଳିତ ଆନାଲଗ ରାଡାରଗୁଡ଼ିକରେ ଏହା ସମ୍ଭବ ହେଉନଥିଲା ।

ସମ୍ବନ୍ଧିତ ଖବର