ଫନି ବିପନ୍ନଙ୍କ ଆକାଉଣ୍ଟ ଅଚଳକୁ ନେଇ ତନାଘନା : ଏସ୍‌ଆର୍‌ସି ମାଗିଲେ ରିପୋର୍ଟ, କିଏ କରିଛି ଅଚଳ

ଦୋଷ ମୁଣ୍ଡାଇବାକୁ ଅମଙ୍ଗ ଅଧିକାରୀ

ପୁରୀ : ଫନି ବିପନ୍ନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଦୁଇ ମାସ ହେବ ଫ୍ରିଜ୍ (ଅଚଳ) କରାଯିବାକୁ ନେଇ ଆଜି ‘ସମ୍ବାଦ’‌ରେ ଖବର ପ୍ରକାଶ ପାଇବା ପରେ ଏ ନେଇ ତନାଘନା ଆରମ୍ଭ ହୋଇଛି। କିଏ କେଉଁ ଆଧାରରେ ଫନି ବିପନ୍ନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିଥିଲା ସେ ନେଇ ସରକାରୀ ସ୍ତରରୁ ତନାଘନା ଆରମ୍ଭ ହୋଇଛି। ଏ ନେଇ ଆଜି ଦିନ ତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗରମାଗରମ ଆଲୋଚନା ଓ ତର୍ଜମା ହୋଇଛି। ଜିଲ୍ଲାପାଳ ବଲୱନ୍ତ ସିଂହ, ଜରୁରୀକାଳୀନ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଏ ନେଇ ଘଣ୍ଟାଚକଟା କରିଛନ୍ତି।

ତେବେ ଗତ ଦୁଇମାସ ପରେ ଫନି ବିପନ୍ନଙ୍କ କଥା ମୁଣ୍ଡରେ ପଶିଛି। ତୁରନ୍ତ ତହସିଲଦାରମାନଙ୍କୁ ଫୋନ କରି ତଦନ୍ତ କାମ ସାରି ରିପୋର୍ଟ ଦେବାକୁ ତାଗିଦ କରାଯାଇଛି। ଆଜି ‘ସମ୍ବାଦ’ ଖବରକୁ ନେଇ ରାଜ୍ୟରେ ମଧ୍ୟ ତନାଘନା ହୋଇଛି। କେଉଁ ଆଧାରରେ ଆକାଉଣ୍ଟ୍‌ ଅଚଳ କରାଯାଇଛି, ଆକାଉଣ୍ଟ୍‌ ଅଚଳ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, କାହାର ଲିଖିତ ଆଦେଶରେ ଏହା ହୋଇଛି ନା ମୌଖିକ ନିର୍ଦ୍ଦେଶକୁ ମାନି ବ୍ୟାଙ୍କ ଲୋକଙ୍କୁ ଦୁଇମାସ ହେବ କଲବଲ କରିଛି ତାହାର ମଧ୍ୟ ଘଣ୍ଟା ଚକଟା ହୋଇଛି।

ଏ ସଂପର୍କରେ ଆଜି ସ୍ବତନ୍ତ୍ର ରିଲିଫ କମିସନର୍‌ କାରଣ ଦର୍ଶାଇବାକୁ କହିଛନ୍ତି। କାରଣ ଦର୍ଶାଇବାକୁ କୁହାଗଲ‌ା ପରେ ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ ମୁଣ୍ଡରୁ ଦୋଷ ଝାଡ଼ିବାକୁ ଉଦ୍ୟମ କରିଛନ୍ତି। ମାର ମାର ନ୍ୟାୟରେ ଆଜି ଫନି ବିପନ୍ନଙ୍କ ଆକାଉଣ୍ଟ ଅଚଳ କରିବା ଘଟଣାକୁ ନେଇ କିଛି ଅଧିକାରୀଙ୍କୁ ତାଗିଦ କରାଯାଇଛି। ତୁରନ୍ତ ଫନି ବିପନ୍ନଙ୍କ ଟଙ୍କା ଦେଇ ଦେବା ପାଇଁ ନିର୍ଦ୍ଦେଶ ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଫନି ବିପନ୍ନଙ୍କ ଆକାଉଣ୍ଟ୍ ଅଚଳକୁ ନେଇ ରାଜ୍ୟ ସ୍ତରରେ ମଧ୍ୟ ତନାଘନା ହୋଇଛି। ମୁଖ୍ୟ ଶାସନ ସଚିବ ଏ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଲା, ଲକ୍ଷାଧିକ ଫନି ବିପନ୍ନଙ୍କ ଆକାଉଣ୍ଟ ଅଚଳ ହୋଇନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟୀକରଣ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ଜିଲ୍ଲାର ଲିଡ୍ ବ୍ୟାଙ୍କ୍ ପ୍ରବନ୍ଧକଙ୍କୁ ପଚାରିବାରେ ଆକାଉଣ୍ଟ ଅଚଳ ପାଇଁ ତାଙ୍କ ପାଖକୁ କିଛି ଲିଖିତ ନିର୍ଦ୍ଦେଶ ଆସିନଥିବା ସେ କହିଛନ୍ତି। ଯଦି ଲିଖିତ ନିର୍ଦ୍ଦେଶ ଆସିନାହିଁ, ଜିଲ୍ଲାରେ ଲକ୍ଷାଧିକ ଲୋକଙ୍କ ଆକାଉଣ୍ଟ୍‌କୁ ବ୍ୟାଙ୍କ କର୍ତ୍ତୃପକ୍ଷ କାହା କଥାରେ ଅଚଳ କରିଛନ୍ତି, କେଉଁ ବ୍ୟାଙ୍କ ଅଧିକାରୀ ଲୋକଙ୍କୁ କଲବଲ କରିବାର ଦୁଃଶାସହ କରିଛନ୍ତି ତା’ର ତଦନ୍ତ କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଜିଲ୍ଲା‌ରେ କେତେ ଜଣ ବିପନ୍ନଙ୍କ ଆକାଉଣ୍ଟ କାହିଁକି ଅଚଳ କରାଯାଇଛି ସେ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ଲକ୍ଷାଧିକ ନୁହେଁ ଅଳ୍ପ ଆକାଉଣ୍ଟ ଅଚଳ ହୋଇଛି। ତେବେ ଏ ନେଇ କିଏ ନିର୍ଦ୍ଦେଶ ଦେଇଥିଲେ ସେ କଥା କହିନାହାନ୍ତି। ବେଆଇନ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଏ ଭଳି କରାଯାଇଥିବା‌ ସେ ମତ ରଖିଛନ୍ତି। ଖୁବ୍‌ଶୀଘ୍ର ତଦନ୍ତ ସାରିବା ପରେ ଆକାଉଣ୍ଟ ସଚଳ କରିଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର