କଟକ: ଫନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାର ପ୍ରଦାନ କରିଥିବା ଅନୁକମ୍ପାମୂଳକ ସହାୟତା ରାଶି ହଡ଼ପ ଅଭିଯୋଗକୁ ନେଇ ରୁଜୁ ମାମଲାକୁ ଓଡ଼ିଶା ମାନବାଧିକାର କମିସନ୍ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କମିସନ୍ ମାମଲାକୁ ବିଚାର ପାଇଁ ଗ୍ରହଣ କରି ପୁରୀ ଏସ୍ପିଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ଏପରି ଅଭିଯୋଗ ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ କମିସନ୍ କହିଛନ୍ତି। କମିସନ୍ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୭୭ ବର୍ଷୀୟ ଗୁଣ୍ଡିଚା ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ଦକ୍ଷିଣସାହି ଛକ ବାସିନ୍ଦା ଗୁଣ୍ଡିଚା ବେହେରାଙ୍କ ମାଟି ଘର ୨୦୧୯ ଫନି ବାତ୍ୟାରେ ଭାଙ୍ଗିଯାଇଥିଲା। ସରକାର ଏଥିପାଇଁ ପ୍ରଦାନ କରିଥିବା ୯୫ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ତାଙ୍କ ସାତଶଙ୍ଖ ଛକରେ ଥିବା ଜାତୀୟକରଣ ବ୍ୟାଙ୍କ ଖାତାରେ ଜମା ହୋଇଥିଲା। ୨୦୨୦, ଫେବ୍ରୁଆରି ୨୯ରେ ଗୁଣନିଧିଙ୍କ ଖାତାରେ ଏହି ଟଙ୍କା ଜମା ହୋଇଥିଲେ ମଧ୍ୟ ଏହାକୁ ଉଠାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁମତି ଦେଇ ନଥିଲେ। ତାଙ୍କ ବ୍ୟାଙ୍କ ଖାତା ପିପିଲି ତହସିଲଦାରଙ୍କ ଦ୍ବାରା ଅଚଳ କରାଯାଇଛି ବୋଲି କୁହାଯାଇଥିଲା। ଗୁଣନିଧି ଏ ନେଇ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତାଙ୍କ ବ୍ୟାଙ୍କ ଖାତା ସଚଳ ଅଛି ଓ ଏହାକୁ ଅଚଳ କରିବାକୁ କିଛି ନିର୍ଦ୍ଦେଶ ନଥିବା ତହସିଲ କାର୍ଯ୍ୟାଳୟରୁ ଆବେଦନକାରୀ ଜାଣିବାକୁ ପାଇଥିଲେ।
ଏହାପରେ ସେ ସାତଶଙ୍ଖ ଛକରେ ଥିବା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ୨୦୨୦, ମାର୍ଚ୍ଚ ୧୩ରେ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଯାଇ ସାରିଛି ବୋଲି ବ୍ୟାଙ୍କ କର୍ମଚାରୀ ତାଙ୍କୁ କହିଥିଲେ। ସେ ଟଙ୍କା ଉଠାଇ ନଥିବା ବେଳେ ତାଙ୍କ ବ୍ୟାଙ୍କ ଖାତାରୁ ତଞ୍ଚକତା କରି ଅନ୍ୟ କେହି ଟଙ୍କା ନେଇ ଯାଇଥିବା ଆବେଦନକାରୀ ଅଭିଯୋଗ କରିଥିଲେ। ଏ ନେଇ ବ୍ୟାଙ୍କ ଓ ପିପିଲି ଥାନାରେ ଆବେଦନକାରୀ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନଥିଲା। ପୁରୀ ଏସ୍ପିଙ୍କୁ ଜଣାଇଥିଲେ ମଧ୍ୟ ପୁଲିସ ଆବେଦନକାରୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ସମାନ ଧରଣର ସମସ୍ୟାର ଶତାଧିକ ଅଞ୍ଚଳବାସୀ ସମ୍ମୁଖୀନ ହେଉଥିବା ଆବେଦନକାରୀ ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ ନିଷ୍କ୍ରିୟତାକୁ ବିରୋଧ କରି ଆବେଦନକାରୀ ମାନବାଧିକାର କମିସନ୍ଙ୍କ ନିକଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅଖଣ୍ଡ ଓ ବର୍ଷା ସ୍ବାଇଁ ସହାୟତା କରୁଛନ୍ତି।