ମିଳୁନି ଘରଭଙ୍ଗା ସହାୟତା, କୁଆଡ଼େ ଗଲା ଏସ୍‌ଆରସିଙ୍କ ୧୯୭ କୋଟି

ପୁରୀ : ଆଜି ମିଳିବ, କାଲି ମିଳିବ କହି ମାସେ ଭଣ୍ଡେଇଲେଣି। ତଥାପି ମିଳିପାରୁନି ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଘରଦ୍ବାର ହରାଇଥିବା ବିପନ୍ନଙ୍କୁ ଘରଭଙ୍ଗା ସହାୟତା। ପାଖରେ ଟଙ୍କା ନଥିବାରୁ ଘର ସଜାଡ଼ି ପାରୁନାହାନ୍ତି। ଯେଉଁଥି ପାଇଁ ଖରାବର୍ଷାରେ କଲବଲ ହେଉଛନ୍ତି ବିପନ୍ନ। ଆଜି ୫ ଘଣ୍ଟାର ଲଗାଣ ବର୍ଷା ବିପନ୍ନଙ୍କୁ ଆହୁରି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି। ସେମାନେ ବର୍ଷାରେ ଭିଜିଛନ୍ତି। ପ୍ରଶାସନିକ ସ୍ଥାଣୁତାକୁ ଏହା ପ୍ରତିପାଦିତ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିସନ୍ ପୁରୀ ଜିଲ୍ଲା ପ୍ରଶାସନକୁ ଦେଇଥିବା ୧୯୭ କୋଟି ୫୯ ଲକ୍ଷ ଟଙ୍କାର ସହାୟତା କୁଆଡ଼େ ଗଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ, ପୁରୀ ଜିଲ୍ଲାରେ ୨ ଲକ୍ଷ ୭୮ ହଜାର ୭୬୨ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୭୪ଟି ପକ୍କା ଘର ଓ ୮୯୮୫ଟି କଚାଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୬ ହଜାର ୧୨୭ଟି ପକ୍କାଘର ଓ ୯୮ହଜାର ୫୮୮ଟି କଚାଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ୧ ଲକ୍ଷ ୧୩ ହଜାର ୨୮୨ଟି ପକ୍କା ଘର, ୪୯ ହଜାର ୫୨୮ କଚାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତାବଳୀ ଅନୁଯାୟୀ, ସଂପୂର୍ଣ୍ଣ ନଷ୍ଟ ହୋଇଥିବା ପକ୍କା ଅବା କଚାଘର ପାଇଁ ବିପନ୍ନ ପିଛା ୯୫ ହଜାର ୧୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଆଂଶିକ ଭାଙ୍ଗିଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଟଙ୍କା ଓ ଆଂଶିକ ଭାଙ୍ଗିଥିବା କଚାଘର ପାଇଁ ୩ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ। ନଷ୍ଟ ହୋଇଥିବା ପ୍ରତି କୁଡ଼ିଆ ପାଇଁ ୪ ହଜାର ୧୦୦ ଟଙ୍କା ଓ କ୍ଷତିଗ୍ରସ୍ତ ଗୁହାଳ ପିଛା ୨ ହଜାର ୧୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। କ୍ଷୟକ୍ଷତି ରିପୋର୍ଟ ପାଇବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର୍ ପୁରୀ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଘରଭଙ୍ଗା ସହାୟତା ବାବଦକୁ ୧୯୭ କୋଟି ୫୯ ଲକ୍ଷ ଟଙ୍କା ପ୍ରଦାନ କରି ସାରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଘର ବାବଦକୁ ବିପନ୍ନଙ୍କ ପିଛା ୨୦ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ବାବଦରେ ବିପନ୍ନଙ୍କ ପିଛା ୫ ହଜାର ୨୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚାଘର ପାଇଁ ବିପନ୍ନଙ୍କ ପିଛା ୩ ହଜାର ୨୦୦ ଟଙ୍କା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର୍ ଉପରୋକ୍ତ ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ଟଙ୍କା ପାଇବା ଏହା ଭିତରେ ୧୦ ଦିନ ବିତିଗଲାଣି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜି ସୁଦ୍ଧା ବିପନ୍ନଙ୍କ ପାଖରେ ପହଞ୍ଚି ପାରୁନି ସହାୟତା।

ବାତ୍ୟାରେ ପୁରୀ ସଦର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ବି ବିପନ୍ନ ଆଜି ପର୍ଯ୍ୟନ୍ତ ଘରଭଙ୍ଗା ବାବଦ ସହାୟତା ପାଇନାହାନ୍ତି। ନିଜ ତ୍ରୁଟି ଲୁଚାଇବାକୁ ଯାଇ ବିପନ୍ନମାନଙ୍କ ଉପରେ ଦାଉ ସାଧୁଛି ପ୍ରଶାସନ। ଯାହାର ପରିଣାମ ସ୍ବରୂପ ବିପନ୍ନଙ୍କୁ କଲବଲ ହେବାକୁ ପଡ଼ୁଛି। ପ୍ରଶାସନ ଏହା ଭିତରେ ଏକାଧିକ ଥର ବିପନ୍ନଙ୍କଠାରୁ ଆଧାରକାର୍ଡ଼, ବ୍ୟାଙ୍କ ପାସବୁକର ନକଲ ନେଇ ସାରିଥିଲେ ବି ହଜିଯାଇଥିବା ଆଳ ଦେଖାଇ ବାରମ୍ବାର ବିପନ୍ନଙ୍କୁ ହଇରାଣ କରୁଛି। ଗ୍ରାମାଞ୍ଚଳରେ ବିଜୁଳି ନଥିବାରୁ ଗାଁ ଲୋକେ ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ଼ର ଜେରକ୍ସ କରିବା କଷ୍ଟକର ବ୍ୟାପାର ହୋଇଛି। ଫଳରେ ଅନେକ ବିପନ୍ନ ସହାୟତା ପାଇବାରୁ ବାଦ୍ ପଡ଼ିବା ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆଜି ସକାଳ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଲଗାଣ ଓ ପ୍ରବଳ ବର୍ଷା ବିପନ୍ନଙ୍କୁ ଆହୁରି ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି। ଯେଉଁମାନେ ଜରିପାଲ ତଳେ ରହୁଥିଲେ, ପବନରେ ଏହା ଚିରିଯିବାରୁ ସମସ୍ତେ ବର୍ଷାରେ ଭିଜିଛନ୍ତି। ଆସବାବପତ୍ର ବି ବର୍ଷାରେ ଭିଜିଛି। ଅଫିସରମାନେ ତୃଣମୂଳସ୍ତରକୁ ନଯାଇ, ବିପନ୍ନଙ୍କ ଦୁଃଖକଷ୍ଟ ନବୁଝି, ଶୀତତାପ ନିୟନ୍ତ୍ରିତ କକ୍ଷରୁ ସବୁକିଛି ନିୟନ୍ତ୍ରଣ କରିବା ପରିତାପର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର