କଣାସ ସ୍ଥିତି ସୁଧୁରୁନି, ପହଞ୍ଚିନି ସହାୟତା

ପୁରୀ : ଜିଲ୍ଲାର ଫନୀ ପ୍ରଭାବିତ ଅନ୍ୟତମ ବ୍ଲକ କଣାସର ସ୍ଥିତି ସୁଧୁରୁନି। ଆଜିଯାଏ ପହଞ୍ଚିନି ସରକାରୀ ସହାୟତା। ଭଙ୍ଗା ଘରେ ଜୀବନ କାଟୁଛନ୍ତି ଲୋକେ। ଦିନରେ ଖରା ଓ ରାତିରେ କାକରରେ କଟୁଛି ଜୀବନ। ବିଜୁଳି ନାହିଁ କି ନାହିଁ ପାନୀୟଜଳ। ବାତ୍ୟାର ମାସେ ପରେବି ସ୍ଥିତି ଯେମିତିକୁ ସେମିତି। ଏହି ବ୍ଲକ ଅନ୍ତର୍ଗତ ପାଣ୍ଡିଆ କେରା ପଞ୍ଚାୟତର ଘରଛିଆ ଗାଁର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପରିବାର ଆଜି ମଧ୍ୟରେ ଭଙ୍ଗା ଘର ତଳେ ରହୁଛନ୍ତି। ଛପର ଉଡ଼ି ଯାଇଥିଲା। ସରକାର ଦେଇଥିବା ପଲିଥିନ୍‌ ଟାଣିବା ପାଇଁ ପି ଛପର ନଥିଲା। କାନ୍ଥ ତଳେ ଶୋଇଥିଲା। କୌଣସି ପ୍ରକାର ବାଉଁଶ ଦୁଇଖଣ୍ଡ ପୋତି ପାଲ ଟାଣି ରହିଛନ୍ତି। କ୍ଷୟକ୍ଷତି ଆକଳନ ପାଇଁ ଟିମ୍‌ ଯାଇଛନ୍ତି। ହେଲେ ମିଳିନି ସହାୟତା। ତେଣୁ ଉଜୁଡ଼ା ଘରକୁ ସଜାଡ଼ି ପାରୁନାହାନ୍ତି ସେମାନେ।

ସମାନ ସ୍ଥିତି ଶ୍ରୀକାନ୍ତ ଜେନାଙ୍କ ପରିବାରର ରହିଛି। ଗାଁକୁ ବିଜୁଳି ମିଳିନି। ଖରା ଗରମରେ ଘରେ ରହି ହେଉନି। ଘରର ଛପର ଉଡ଼ି ଯାଇଛି। ପାଲ ଟାଣି ପରିବାର ରହୁଛନ୍ତି। ଜରି ପାଲ ତଳେ ଖରାବେଳେ ପଙ୍ଖା ବିନା ରହିବା ନିଆଁ ଭାଟି ପାଖରେ ବସିବା ଭଳି ଲାଗୁଛି। କେବେ ବିଜୁଳି ଆସିବ ତାହାର ବି ଠିକଣା ନାହିଁ। ସହାୟତା ମିଳିନଥିବାରୁ ଘର ବି ସଜାଡ଼ି ପାରୁନାହାନ୍ତି। ସେମିତି ପଡ଼ିଛନ୍ତି ପିଲା ପରିବାର ଧରି। ନୂଆସାହିର ବିସ୍ମିତା ପାହାନ୍ତାସିଂଙ୍କର ସବୁଠୁ ବଡ଼ କଷ୍ଟ ପାଣି। ପାନୀୟଜଳର ଘୋର ସଂକଟ। ନଦୀରେ ଯେଉଁ ପାଣି ଆସୁଛି ତାହା ପିଇବା ଯୋଗ୍ୟନୁହେଁ। ନଳକୂଅରୁ ବି ପାଣି ବାହାରୁନି। ସରକାର କେବେ କେମିତି ଦେଉଛନ୍ତି ପାଣି। ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ବ୍ୟବସ୍ଥା ଠିକ୍‌ ହେଲା ନାହିଁ। ୩/୪ ଦିନରେ ଟ୍ୟାଙ୍କର ଯାଉଛି। ବାସ୍‌ ସେତିକିରେ ବଞ୍ଚୁଛନ୍ତି ପରିବାର ଲୋକେ।

କଣାସ ବ୍ଲକରେ ୨୯୨ରୁ ଅଧିକ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରଭାବିତ ହୋଇଛନ୍ତି। ଏସବୁର ଆକଳନ ବି ସରକାରୀ ସ୍ତରରେ କରାଯାଇନାହିଁ। ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଭାଙ୍ଗି ଯାଇଥିବା ସ୍କୁଲର ଅବସ୍ଥା ସୁଧାରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଜି ବି ପରିତ୍ୟକ୍ତ ହୋଇ ପଡ଼ିଛି ସ୍କୁଲ କୋଠା। କଣାସ ବ୍ଲକରେ ପ୍ରାୟ ୯ ରୁ ୧୦ ହଜାର ଘର ଭାଙ୍ଗିଛି। ୨୫ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ହେଲେ ଏସବୁର ସଠିକ୍‌ ଆକଳନ କରାଯାଇନାହିଁ। ବ୍ଲକ ଓ ତହସିଲ୍‌ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ମାତ୍ର କେତେ କ୍ଷତି ହୋଇଛି ତାହାର ରିପୋର୍ଟ ବାହାରି ନାହିଁ। ତେଣୁ କ୍ଷତିପୂରଣ ବି ମିଳିନାହିଁ। କେବେ ମିଳିବ ତାହା କହିବା ମୁସ୍କିଲ।

ସମ୍ବନ୍ଧିତ ଖବର