ସରୁନି ଯନ୍ତ୍ରଣା : ପାଲ ଖଣ୍ଡେ ପାଇଁ ଖରାରେ ପାଞ୍ଚଘଣ୍ଟା

ପୁରୀରେ ଶତାଧିକ ବାହାଘର ଭୋଜି ବାତିଲ, ଫନି ପୁନଃନିର୍ମାଣରେ ଗଞ୍ଜାମର ସହଯୋଗ: ପୁରୀ ଗଲା ୨୦୫ ଟ୍ରାକ୍ଟର, ୩୦ ଜେସିବି, ୨୦ ବସ୍‌, ୩୭ ଟ୍ରକ୍‌, ୨୦ ଟିପର୍‌ ମଧ୍ୟ ପଠାଗଲା

ପୁରୀ : ‘ଫନି’ ପ୍ରଳୟରେ ସବୁ କିଛି ହରାଇ ଦେଇଥିବା ଗରିବ ବସ୍ତିବାସିନ୍ଦାଙ୍କୁ ଯନ୍ତ୍ରଣା ପିଛା ଛାଡୁନି। ବାତ୍ୟାର ୮ ଦିନ ପରେ ବି ଭାଙ୍ଗି ଯାଇଥିବା ଘର ସଜାଡିବାକୁ ଅସମର୍ଥ ରହିଛନ୍ତି। ଶେଷରେ ରିଲିଫ୍ ପାଇଁ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଚୁଡା ଓ ଚାଉଳ ଆଣିବାକୁ ସଂଘର୍ଷ କରିବାକୁ ପଡୁଛି। ‘ସମ୍ବାଦ’ ପକ୍ଷରୁ ବାସ୍ତବ ସ୍ଥିତି ପରିଖିବା ପା‌ଇଁ ପହଞ୍ଚିଥିଲୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ। ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜରିପାଲ ବଣ୍ଟା ଯାଉଥିଲା। ତେବେ ପାଲଖଣ୍ଡେ ପାଇବାକୁ ଡହ ଡହ ଖରରେ ଲମ୍ବାଧାଡି ଲାଗିଥିଲା। ସକାଳ ୮ଟାରୁ ପାଲ ପାଇଁ ଧାଡିରେ ଥିବା ଲୋକଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାଲଖଣ୍ଡେ ମିଳି ନଥିଲା। ପ୍ରଚଣ୍ଡ ଖରା‌ରେ ମୁଣ୍ଡରେ କପଡା ପକାଇ ବୟସ୍କ ଓ ମହିଳାମାନେ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଧାଡିରେ ଠିଆ ହୋଇରହିଥିଲେ। ସରିଗଲେ ଫେରିବାକୁ ପଡୁଥିଲା। ରିଲିଫ୍ ବଣ୍ଟନରେ ଏଭଳି ସ୍ଥିତି କେବଳ ଗୋପୀନାଥପୁର ପଞ୍ଚାୟତରେ ନୁହେଁ, ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ପୁରୀରେ ଶତାଧିକ ବାହାଘର ଭୋଜି ବାତିଲ

ପୁରୀ : ଫନି ପ୍ରଳୟ ପରେ ପୁରୀରେ ବିଭିନ୍ନ ବିବାହ ମଣ୍ଡପ ଓ ହୋଟେଲରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ବାହାଘର ଭୋଜି ସବୁକୁ ବାତିଲ କରାଯାଇଛି। ମଣ୍ଡପ କର୍ତୃପକ୍ଷ ଗୃହକର୍ତ୍ତାଙ୍କୁ ତାଙ୍କର ଅସହାୟତା ଜଣାଇବାପରେ ଭୋଜି ସବୁ ବାତିଲ କରିବାକୁ ପଡିଛି। ଅନ୍ୟପକ୍ଷରେ ସହରରେ ବାହାଘର ଓ ବ୍ରତଘର ନିରାଡମ୍ବରରେ କରାଯାଇଛି। ବିଦ୍ୟୁତ ସଂଯୋଗ ନଥିବା, ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ, ହୋ‌ଟେଲର ଦୟନୀୟ ସ୍ଥିତି ଓ କର୍ମଚାରୀ ଅଭାବ ଯୋଗୁଁ ଏହି ଭୋଜି ସବୁ ବାତିଲ କରାଯାଇଛି। ପୁରୀର ପ୍ରମୁଖ ହୋଟେଲସବୁ ବାତ୍ୟାରେ ଭାଂଗିରୁଜିଯାଇଥିବରୁ ସମସ୍ତ ଭୋଜି, ମିଟିଂ ଓ ସାମାଜିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏପରିକି କିଛି ବାହାଘର ମଧ୍ୟ ଘୁଞ୍ଚିଯାଇଛି।

ଫନି ପୁନଃନିର୍ମାଣରେ ଗଞ୍ଜାମର ସହଯୋଗ: ପୁରୀ ଗଲା ୨୦୫ ଟ୍ରାକ୍ଟର, ୩୦ ଜେସିବି, ୨୦ ବସ୍‌, ୩୭ ଟ୍ରକ୍‌, ୨୦ ଟିପର୍‌ ମଧ୍ୟ ପଠାଗଲା

ବ୍ରହ୍ମପୁର : ବାତ୍ୟା ଫନିରେ ପୁରୀ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଛାରଖାର ଶ୍ରୀକ୍ଷେତ୍ର କିଭିଳି ପୂର୍ବସ୍ଥିତି ଫେରି ପାଇବ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏପରିକି ବିଭିନ୍ନ ସ୍ତରରୁ ସହାୟତାର ସୁ୍ଅ ମଧ୍ୟ ଛୁଟିବାରେ ଲାଗିଛି। ସହା‌ୟତା ‌ଯୋଗାଇ ଦେବାରେ ପଛରେ ପଡିନି ଗଞ୍ଜାମ ଜିଲ୍ଲା। ପୂର୍ବରୁ ରିଲିଫ୍‌ ସାମଗ୍ରୀ, ପଲିଥିନ, ଜେନେରେଟର ଆଦି ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାଯାଇଥିଲା। ବାତ୍ୟାଞ୍ଚଳରେ ପୁନଃନିର୍ମାଣ କାମ ତ୍ବରାନ୍ବିତ କରିବାରେ ସହଯୋଗ ଲାଗି ଆଜି ୨୦୫ଟି ଟ୍ରାକ୍ଟର ଏବଂ ୩୦ଟି ଜେସିବି ଲୋଡର ପଠାଯାଇଛି। ଏହାସହିତ ୨୦ଟି ବସ, ୨୩ ଟ୍ରକ, ୧୪ଟି ମିନି ଟ୍ରକ, ୨୦ଟି ଟିପର, ୧୦ଟି ଏସି ପିକ୍‌ ଅପ ପୁରୀ ଜିଲ୍ଲାକୁ ପଠାଯାଇଥିବା ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା‌ ଦେଇଛନ୍ତି। ଆସନ୍ତାକାଲି ଆଉ ୧ଶହଟି ଟ୍ରାକ୍ଟର ପଠାଯିବାର ‌ଯୋଜନା ରହିଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ‌ଯେ, ଏହାପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତହସିଲରେ ଗଚ୍ଛିତ ରହିଥିବା ୭୨ଶହ ପଲିଥିନ ରୋଲ ପୁରୀ ଜିଲ୍ଲାକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର