ପୁଣି ଚର୍ଚ୍ଚାରେ ଏଫ୍‌ଏକ୍ୟୁ ମାନ : ଚାଷୀ ‌ଦେଉଛି, ମିଲର୍ସ ନେବାକୁ ନାରାଜ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ନଭେମ୍ବର ୧୪ରୁ ଧାନ କିଣା ହେବା ନେଇ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକରେ ନିଷ୍ପତ୍ତି ‌େହାଇଥିଲା। ତେବେ ସବୁଥର ଭଳି ଏଥର ବି ବିଳମ୍ବିତ ହୋଇଥିଲା ପ୍ରକ୍ରିୟା। ଧାନ କିଣା କମିଟି ବୈଠକରେ ଚାଷୀ ‌ସଂଗଠନର କର୍ମକର୍ତା ଓ ମିଲ ମାଲିକ ଏଫଏକ୍ୟୁ ମାନର ଧାନ ପ୍ରସଙ୍ଗ ଉଠାଇଥିଲେ। ମିଲରେ ପ୍ରତି ଧାନ ବସ୍ତାରେ ୧୦ ରୁ ୧୨ କିଲୋ ଧାନ କଟାଯାଉଥିବାବେଳେ ଅଭିଯୋଗ ହେଉଥିବାବେଳେ ଅନ୍ୟପଟେ ଫଏକ୍ୟୁ ମାନର ଧାନ ଦେଲେ ନେବାରେ କୌଣସି ଅସୁବିଧା ନାହିଁ ବୋଲି ମିଲର୍ସ କହିଛନ୍ତି।

କ’ଣ ସେ ଏଫଏକ୍ୟୁ ମାନର ଧାନ? ସାଧାରଣ ଭାଷାରେ ଧାନ ଭଲ ଭାବେ ସଫା କରାଯାଇଥିବ। ପୋଲା ଧାନ ନଥିବ ଓ ବାଲି ଗୋଡ଼ି ମିଶି ନଥିବ। ରଙ୍ଗ ଫିକା ପଡ଼ି ନଥିବ। ତେବେ, ଚାଷୀ ନାଁରେ ଜିଲ୍ଲାରେ ବର୍ତ୍ତମାନ ଦଲାଲ ଓ ଛଦ୍ମ ଚାଷୀଙ୍କ ଦୌରାତ୍ମ୍ୟ ବଢିଛି। ସେମାନେ ଏଫଏକ୍ୟୁ ମାନ ନୁହେଁ, ମିଳାମିଶା କରି ଧାନ ବିକ୍ରି କରି ମୁନାଫା ଉଠାଇବାକୁ ଚାହୁଁଛନ୍ତି ବୋଲି ମିଲର୍ସ କହୁଛନ୍ତି। କ୍ବିଣ୍ଟାଲରେ ୧୦ରୁ ୧୫ କେଜି ପୋଲା ଓ ଖରାପ ଧାନ ରହିବ, ବାଲି ଗୋଡି ମିଶିବ ତା’ହେଲେ ସେମାନେ ସେ ଧାନ ନେଇ କରିବେ କ’ଣ? ଏଭଳି ପରିସ୍ଥିତି‌େର ମିଲ୍ ବନ୍ଦ ହୋଇଯିବ ବୋଲି କହିଛନ୍ତି। ଅପରପକ୍ଷରେ ପେକ୍ସ ଖୋଲି ଗଲାଣି। ନିୟମ ଅନୁସାରେ ପେକ୍ସ ଜରିଆରେ ସରକାର ଧାନ କିଣିବେ ଓ ପେକ୍ସ ସହ ଯୋଡା ହୋଇଥିବା ମିଲର୍ସ ଧାନ କିଣିବେ। କିନ୍ତୁ ଏଫଏକ୍ୟୁ ମାନ ଧାନ ମିଳୁ ନଥିବାରୁ ମିଲର୍ସ କି ସେମାନଙ୍କ ଏଜେଣ୍ଟମାନେ ଧାନ କିଣାରୁ ଦୂରେଇ ରହୁଛନ୍ତି।

ଏଫଏକ୍ୟୁ ତାଲିମ ନେଇ ଧାନ କିଣା ବୈଠକରେ ଆଲୋଚନା ହୋଇଥିଲା। ଯୋଗାଣ ବିଭାଗର ମାଷ୍ଟର ଟ୍ରେନର ଜିଲ୍ଲାର ୧୫୮ ପେକ୍ସ ସଂପାଦକଙ୍କୁ ଏଫଏକ୍ୟୁ ମାନ କେମିତି ନିର୍ଦ୍ଧାରଣ କରାଯିବ ସେ ତାଲିମ ଦିଆଯାଇଥିବା କହୁଛନ୍ତି। କିନ୍ତୁ ଅନେକ ସଂପାଦକ ଏ ସଂପର୍କରେ ଭଲ ଭାବେ ଅବଗତ ନୁହନ୍ତି। ଏହି ମାନ ଯାଞ୍ଚ ପାଇଁ ଯେଉଁ ସବୁ ସରଂଜାମ ଆବଶ୍ୟକ ତାହା ବି ସେମାନଙ୍କ ପାଖରେ ଉପଲବ୍ଧ ନୁହଁ।

ବର୍ତ୍ତମାନ ହାଇକୋର୍ଟ ବେଞ୍ଚ ଦାବି ନେଇ ବଲାଙ୍ଗୀରରେ ଆନ୍ଦୋଳନ ଚାଲିଥିବାରୁ ଯୋଗାଣ ବିଭାଗ କାର୍ଯ୍ୟାଳୟ ବନ୍ଦ ହୋଇଛି। ତେଣୁ କେତେ ଧାନ ଏପର୍ଯ୍ୟନ୍ତ କିଣା ହେଲାଣି ତାର ସବିଶେଷ ସୂଚନା ଅଫିସ ସୂତ୍ରରୁ ମିଳି ପାରୁ ନାହିଁ। ଏଫ୍‌ଏକ୍ୟୁ ମାନ ଯାଞ୍ଚ ଓ ଧାନ ସଫା କରିବା ପାଇଁ ୨୦୦୪ ମସିହାରେ ବଲାଙ୍ଗୀର କଂସାରୀପଡ଼ା ଆରଏମସି ଓ କଣ୍ଟାବାଞ୍ଜି ଆରଏମସିରେ ଯନ୍ତ୍ର ଲଗାଯାଇଥିଲା। ୩/୪ ବର୍ଷ ଚାଲିବା ପରେ ଏହା ଅଚଳ ହୋଇପଡିଛି। ଧାନର ମାନ ନେଇ ମିଲର୍ସ ପଛଘୁଞ୍ଚା ଦେଉଥିବା ବେଳେ ପେକ୍ସ ସଂପାଦକ, ଆରଏମସି, ଯୋଗାଣ ବିଭାଗ ସମସ୍ତେ ନିରବ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର