ବିଦାୟ ନେଲା ମୌସୁମୀ, ୧୦ ବର୍ଷ ପରେ ବିଳମ୍ବରେ ଫେରିଲା

ଓଡ଼ିଶାରେ ୧୪୦ ଦିନରେ ୧୩୦୨ ମିମି ବର୍ଷା
ବଙ୍ଗୋପସାଗରରେ ହୋଇଥିଲା୧୨ ଲଘୁଚାପ
ଜୁନ୍‌, ଅଗଷ୍ଟ, ଅକ୍ଟୋବରରେ ବର୍ଷିଲା, ଜୁଲାଇ ଓ ସେପ୍ଟେମ୍ବରରେ କମିଲା

ଭୁବନେଶ୍ୱର: ଜୁନ୍‌ ପହିଲାରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବିଦାୟ ନେଇଛି। ୪ ମାସ ୨୮ ଦିନ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷା କରାଇବା ପରେ ଓଡ଼ିଶା ଦେଇ ବିଦାୟ ନେଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ସାରା ଦେଶରେ ସ୍ବାଭାବିକ ବର୍ଷା ହୋଇଛି। ଏଥର ମୌସୁମୀ ବାୟୁ ୧୪୦ ଦିନ ଧରି ଓଡ଼ିଶାରେ ରହିଥିଲା। ଜୁନ୍‌ ୧୧ରେ ଦକ୍ଷିଣ ପଶ୍ଚିମ‌ ମୌସୁମୀ ଓଡ଼ିଶାକୁ ସ୍ପର୍ଶ କରିବା ସହ ୧୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଓଡ଼ିଶାକୁ ବ୍ୟାପିଥିଲା। ପ୍ରା‌ରମ୍ଭିକ ପର୍ଯ୍ୟାୟ ତଥା ଜୁନ୍‌ ମାସରେ ମୌସୁମୀ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହୋଇଥିଲା। ପରବର୍ତୀ ସମୟରେ ବର୍ଷା ପରିମାଣ କମିବା ସହ ମରୁଡ଼ି ସ୍ଥିତି ଉପୁଜିଥିଲା। ଜୁନ୍‌ରେ ୧୧୫% ବର୍ଷା ହୋଇଥିବା ବେଳେ ଜୁଲାଇରେ ୬୫%, ଅଗଷ୍ଟରେ ୧୪୦%, ସେପ୍ଟେମ୍ବରରେ ୬୮% ଓ ଅକ୍ଟୋବର ୧ରୁ ୨୮ ତାରିଖ ମଧ୍ୟରେ ୧୬୨.୧ ମିମି ବର୍ଷା ହୋଇଛି।

ଯଦି ଦେଖାଯାଏ ମୌସୁମୀ ସମୟରେ ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ବଙ୍ଗୋପସାଗରରେ ୯ଟି ଲଘୁଚାପ ସୃଷ୍ଟି ହୋଇଛି। ଏଥିମଧ୍ୟରୁ କେବଳ ଅଗଷ୍ଟ ମାସରେ ୫ଟି ଲଘୁଚାପ ସୃଷ୍ଟି ହେବାରୁ ଏହି ମାସରେ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇଥିଲା। ଅଗଷ୍ଟ ୨୬ ଓ ୨୭ ତାରିଖରେ ରାଜ୍ୟରେ ସର୍ବାଧିକ ବର୍ଷା ୧୨୯.୭ ମିମି ରେକର୍ଡ ହୋଇଥିଲା। ଯେଉଁଥିପାଇଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଜୁଲାଇ ମାସରେ ମାତ୍ର ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବାରୁ ବର୍ଷା ପରିମାଣ କମିଥିଲା। ଅକ୍ଟୋବର ମାସରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ବଳୟ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗଭୀର ଅବପାତ, ଅବପାତ ଓ ଲଘୁଚାପ ଗୋଟିଏ ଲେଖାଏଁ ଥିଲା। ଏହି କାରଣ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ଛାଡ଼ିଲା ବୋଲି କୁହାଯାଇଛି। ଦୀର୍ଘ ୧୦ ବର୍ଷ ପରେ ମୌସୁମୀ ପ୍ରତ୍ୟାବର୍ତନରେ ବିଳମ୍ବ ହୋଇଛି। ପୂର୍ବରୁ ୨୦୧୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅକ୍ଟୋବର ୨୮ରେ ଓଡ଼ିଶା ଛାଡ଼ିଥିଲା। ଏଥର ଅକ୍ଟୋବର ୨୬ ତାରିଖରୁ ପ୍ରତ୍ୟାବର୍ତନ ଆରମ୍ଭ କରି ଆଜି ସାରା ରାଜ୍ୟରୁ ବିଦାୟ ନେଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ସୂଚନା ମିଳିଛି ଯେ ମୌସୁମୀ ସମୟ ତଥା ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ୧୧୪୦.୮ ମିମି ବର୍ଷା ହୋଇଥିଲା‌। ଏହି ସମୟରେ ସ୍ବାଭାବିକ ଭାବେ ୧୧୫୫.୩ ମିମି ବର୍ଷା ହୋଇଥାଏ। ଅର୍ଥାତ୍‌ ଏବର୍ଷ ମୌସୁମୀ ସମୟ ବର୍ଷା ପରିମାଣ ୯୯% ରହିଥିଲା। ମାଲକାନଗିରିରେ ୪୩ ପ୍ରତିଶତ ଓ ଝାରସୁଗୁଡ଼ାରେ ୨୫% ଅଧିକ ବର୍ଷା ହୋଇଛି। ଖୋର୍ଧାରେ ୨୮% କମ୍‌ ବର୍ଷା ହୋଇଥିବା ବେଳେ ପୁରୀରେ ୨୫, ବାଲେଶ୍ବରରେ ୨୪, ଗଜପତିରେ ୨୩ ଓ ଯାଜପୁରରେ ୨୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ବାକି ୨୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ତେବେ ଅକ୍ଟୋବର ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୬୨.୧ ମିମି ବର୍ଷା ହୋଇଛି। ୧୮ଟି ଜିଲ୍ଲାରେ ୬୦%ରୁ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ୨୦%ରୁ ଅଧିକ ୬୦%ରୁ କମ୍‌ ଏବଂ ୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ୧୩୦୨.୯ ମିମି ବର୍ଷା ହୋଇଛି। ଯେତେବେଳେ କି ଏହି ସମୟରେ ୧୨୫୧.୨ ମିମି ବର୍ଷା ହୋଇଥାଏ।

ଅନ୍ୟପକ୍ଷରେ ମୌସୁମୀ ବିଦାୟ ନେବା ସହ ଥଣ୍ଡା ଅନୁଭୂତ ହୋଇଛି। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଅଧିକ ପରିମାଣରେ ହ୍ରାସ ପାଇଛି। ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରିକୁ ଖସି ଆସିଥିବା ବେଳେ ସୋନପୁରରେ ୧୪, ଦାରିଙ୍ଗବାଡ଼ିରେ ୧୫, ଫୁଲବାଣୀରେ ୧୫.୩, କୋରାପୁଟରେ ୧୫.୬, ଭବାନୀପାଟଣାରେ ୧୬, ବାରିପଦା ଓ କେନ୍ଦୁଝରରେ ୧୬.୨ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର