ଭୁବନେଶ୍ବର: ବାଟ ସରିନଥିଲା। କିନ୍ତୁ ‘ଅଭିମାନ’ କରି ସବୁଦିନ ପାଇଁ ଶୋଇଗଲେ  ଓଡ଼ିଶା ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ଉତ୍ତମ ମହାନ୍ତି।  ପରିଜନ, ପ୍ରଶଂସକ, ଶୁଭେଚ୍ଛୁଙ୍କୁ ସାତ ପର କରି ଅଫେରା ରାଇଜକୁ ଫେରିଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ଅପ୍ରତିଦ୍ବନ୍ଦ୍ବୀ ନାୟକ। ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଆଜି ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ସରିଯାଇଛି ଓଡ଼ିଆ ଚଳଚ୍ଚିତ୍ରର ‘ଉତ୍ତମ’ ଯୁଗ।
ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଉତ୍ତମ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ଶେଷ ନିଶ୍ବାସ ନେଇଥିଲେ। ଆଜି ପୂର୍ବାହ୍ନରେ ତାଙ୍କ ମରଶରୀରକୁ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ସେଠାରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁଲିସ କମିସନର ଓ ଡିସିପି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବିମାନବନ୍ଦରରୁ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ବାସଭବନରେ ପହଞ୍ଚିଥିଲା ପାର୍ଥିବ ଶରୀର। ଅନ୍ତିମ ଦର୍ଶନ ପାଇଁ ବାସଭବନକୁ ଛୁଟି ଆସିଥିଲେ ଶୁଭେଛୁ, ସିନେପ୍ରେମୀ ଓ ଓଡ଼ିଆ କଳାଜଗତର ଶହ ଶହ ବ୍ୟକ୍ତିବିଶେଷ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତମଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କୁ ସମବେଦନା ଜଣାଇଥିଲେ। ବାସଭବନ ବାହାରେ ଶୁଭୁଥିଲା ‘ଉତ୍ତମ ଅମର ରହେ’ ‘ଉତ୍ତମ ଜିନ୍ଦାବାଦ’ ନାରା। ସେତିକିବେଳେ କୋକେଇ ବନ୍ଧା ପ୍ରସ୍ତୁତି ଚାଲିଥିଲା ଏବଂ ପ୍ରଶଂସକମାନଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡ଼ିଥିଲା। 
 ଅପରାହ୍ଣ ପ୍ରାୟ ୩ଟାରେ ଶୋକାକୁଳ ପରିବେଶରେ ବାସଭବନରୁ ଆରମ୍ଭ ହୋଇଥିଲା ଶ୍ମଶାନ ଅଭିମୁଖେ ଶେଷ ଯାତ୍ରା। ପୁଅ ବାବୁସାନ୍ କୋକେଇ କାନ୍ଧେଇଥିଲେ ଏବଂ ଲୁହ ଛଳଛଳ ଆଖିରେ କୋକେଇ ପଛେ ପଛେ ବୋହୂ ତୃପ୍ତି ଗୋବର ପାଣି ପକାଇ ରାସ୍ତା ଓଳାଇ ଥିଲେ। ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’ କହି ଆତ୍ମୀୟ ସ୍ବଜନ ଓ ପ୍ରଶଂସକମାନେ ଶବାଧାର ଆଗେ ଆଗେ ଚାଲିଥିଲେ। ଉତ୍ତମ ଶିରିଡ଼ି ସାଇବାବାଙ୍କ ମନ୍ଦିରକୁ ପ୍ରତିଦିନ ଯାଉଥିଲେ। ତେଣୁ ନିକଟରେ ଥିବା ସାଇ ମନ୍ଦିର ସମ୍ମୁଖକୁ ପ୍ରଥମେ ତାଙ୍କ ମରଶରୀରକୁ ନିଆଯାଇଥିଲା। ସେଠାରୁ ସତ୍ୟନଗର ଶ୍ମଶାନକୁ ପୁଲିସ କାର୍କେଡ୍ରେ ନିଆଯାଇଥିଲା। ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ତମଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। 
ପଣ୍ଡିତ ପ୍ରଦୀପ ବାହିନୀପତି ଶ୍ମଶାନରେ ପଥଶ୍ରାଦ୍ଧ କରିଥିଲେ। ଶେଷ ଥର ପାଇଁ ବାପାଙ୍କ ମୁହଁରେ ଶ୍ରାଦ୍ଧ ଅନ୍ନ ଦେବା ବେଳେ କୋହ ସମ୍ବରଣ କରିପାରିନଥିଲେ ବାବୁସାନ। ଥରଥର ହାତରେ ବାପାଙ୍କୁ ମୁଖାଗ୍ନି ଦେବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଶ୍ମଶାନରେ ମଧ୍ୟ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଜୁଇ ଜଳୁଥିବା ବେଳେ ପ୍ରଶଂସକମାନେ ଶ୍ମଶାନ ନିକଟରେ ରହି ଉତ୍ତମଙ୍କୁ ଚିର ବିଦାୟ ଜଣାଇଥିଲେ। ସେଠି ମଧ୍ୟ ‘ଉତ୍ତମ ମହାନ୍ତି ଅମର ରହେ’ ନାରାରେ ଗଗନପବନ ପ୍ରକମ୍ପିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ ମହପାତ୍ର, ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପ୍ରଯୋଜକ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଶ୍ରୀତମ୍ ଦାସ, ପପୁ ପମ୍ପମ୍, ଶ୍ରୀକାନ୍ତ ଗୌତମ, ବୁଦ୍ଧାଦିତ୍ୟ ମହାନ୍ତି, ଉଷଶୀ ମିଶ୍ର, ଚିନ୍ତାମଣି ବିଶ୍ବାସ, ପ୍ରଜ୍ଞା ଖଟୁଆ, ଅଭିନେତ୍ରୀ ଝିଲିକ୍, ପିଙ୍କି ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/1Lr6zKrS0riPdQkbSKcW.jpg)