ବିଦାୟ ନେଲା ଶୀତ: ଅଧିକାଂଶ ଦିନ ବର୍ଷା ଓ କୋହଲା ପାଗରେ କଟିଲା

୩ ମାସରେ ୭ ପଶ୍ଚିମା ଝଡ଼, ଶୀତ କାଳରେ ସମୁଦାୟ ୧୭ ଶୀତ ରାତି

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେଲା ଶୀତ। ନଭେମ୍ବର ଶେଷରୁ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇଥିବା ବେଳେ ଅଧିକାଂଶ ଦିନ ବର୍ଷାରେ ଭିଜିଛି କିମ୍ବା କୋହଲା ପାଗ ଦେଖିବାକୁ ମିଳିଛି। ନଭେମ୍ବରର ଅଧିକାଂଶ ଦିନ ଲଘୁଚାପ ବର୍ଷା ହୋଇଥିବା ବେଳେ ଡିସେମ୍ବରରୁ ପଶ୍ଚିମା ଝଡ଼ ପ୍ରଭାବ ରାଜ୍ୟରେ ଶୀତ ପ୍ରକୋପକୁ ହ୍ରାସ କରିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଡିସେମ୍ବରରେ ୨ଟି ପଶ୍ଚିମା ଝଡ଼, ଜାନୁଆରିରେ ୩ଟା ‌ଓ ଫେବ୍ରୁଆରିରେ ବର୍ତ୍ତମାନ ସୁଦ୍ଧା ୨ଟି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଛି। ଅନେକ ସମୟରେ ପାଗ ମେଘୁଆ ରହିଥିବା ବେଳେ ରାତ୍ରି ତାପମାତ୍ରା ବଢ଼ିଛି। ଅନ୍ୟପଟେ ଚଳିତ ବର୍ଷ ଏହି ୩ ମାସରେ ସମୁଦାୟ ୧୭ଟି ଶୀତ ରାତି ଅନୁଭୂତ ହୋଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଡିସେମ୍ବରରେ ଗୋଟିଏ ଲଘୁଚାପ ଓ ଗୋଟିଏ ବାତ୍ୟା ସହ ୨ଟି ପଶ୍ଚିମା ଝଡ଼ ପ୍ରଭାବ‌ରେ ଓଡ଼ିଶାରେ ପ୍ରାୟ ୬୩୮% ଅଧିକ ବର୍ଷା ହୋଇଥିଲା। ଜାନୁଆରିରେ ୨ଟି ପଶ୍ଚିମା ଝଡ଼ ପ୍ରଭାବରେ ୨୬୦% ଅଧିକ ବର୍ଷା ହୋଇଛି। ଫେବ୍ରୁଆରିରେ ବର୍ତ୍ତମାନ ସୁଦ୍ଧା ୨ଟି ପଶ୍ଚିମା ଝଡ଼ ପ୍ରଭାବରେ ୧୧୯% ଅଧିକ ବର୍ଷା ହୋଇଛି। ଅର୍ଥାତ ଶୀତ ୩ ମାସରେ ଅଧିକ ବର୍ଷା ଯୋଗୁଁ ଶୀତର ପ୍ରକୋପ ଓ ଦିନ ହ୍ରାସ କରିଛି। ରାଜ୍ୟର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ବଢ଼ିଯାଇଥିବାରୁ ଏବେ ଆଉ ଓଡ଼ିଶାରେ ଶୀତ ପଡ଼ିବାର ସମ୍ଭାବନା ନାହିଁ।

ରାଜ୍ୟରେ ନଭେମ୍ବରରେ ୩ରୁ ୪ଦିନ ଓ ଡିସେମ୍ବରରେ ୫ ଦିନ (୧୯ତାରିଖରୁ ୨୩ ତାରିଖ) ଯାଏ ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ଅର୍ଥାତ୍‌ ଏହି ଦୁଇ ମାସରେ ସମୁଦାୟ ୮ ଦିନ ରାଜ୍ୟରେ ଶୀତ ପଡ଼ିଥିବା ବେଳେ ସେଥିରୁ ୫ଦିନ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଥିଲା। ଏଥିସହ ଜାନୁଆରିରେ ୫ଦିନ ଓ ଫେବ୍ରୁଆରିରେ ୪ ଦିନ ଶୀତ ଲହର ପ୍ରବାହିତ ହୋଇଥିଲା। ସାଧାରଣତଃ ଶୀତ ଦିନେ ସ୍ବାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ ରାତ୍ରି ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଲେ ପାଣିପାଗ ବିଜ୍ଞାନ ଭାଷାରେ ଏହାକୁ ଶୀତ ରାତି ବୋଲି କୁହାଯାଇଥାଏ। କିନ୍ତୁ ରାଜ୍ୟରେ ଚଳିତ ବର୍ଷ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ଅଧିକାଂଶ ଦିନରେ ସ୍ବାଭାବିକଠାରୁ ଅଧିକ ରହିଥିଲା କିମ୍ବା ସ୍ବାଭାବିକ ରହିଥିଲା। ଏଣୁ ଚଳିତ ଶୀତ ଋତୁରେ ସମୁଦାୟ ୧୭ଟି ଶୀତ ରାତି ରହିଥିଲା ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ସାଧାରଣତଃ ଫେବ୍ରୁଆରି ୧୦ ତାରିଖ ପରଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାକୁ ଲାଗେ ଓ ଶୀତ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଚଳିତଥର ଫେବ୍ରୁଆରି ୧୫ ଯାଏ ଶୀତ ଅନୁଭୂତ ହୋଇଛି। ବର୍ତ୍ତମାନ ଆଉ ଶୀତ ସମ୍ଭାବନା ନଥିବା ବେଳେ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫେବ୍ରୁଆରି ଶେଷ ସୁଦ୍ଧା ଖରା ଓ ଗରମ ଅନୁଭୂତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର