ବିପଦ ସଙ୍କେତ ଉପରେ ବୈତରଣୀ: ୩୦ ପଞ୍ଚାୟତର ଚାଷଜମି ଜଳମଗ୍ନ, ରାସ୍ତାରେ ୨ଫୁଟ ଉଚ୍ଚର ପାଣି

ବନ୍ୟାଞ୍ଚଳ ବୁଲି ଦେଖିଲେ ସାଂସଦ, ଜିଲ୍ଲାପାଳ

ଭଦ୍ରକ/ଧାମନଗର/ଭଣ୍ଡାରିପୋଖରୀ:: ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳସ୍ତର। ନଦୀର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ଥିବାବେଳେ ଜଳସ୍ତର ୧୮.୯୨ ଉପରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ଗତ ୧୪ତାରିଖଠାରୁ କ୍ରମା‌ଗତ ବୃଦ୍ଧି ପାଇ ଆଜି ସଂଧ୍ୟା ସୁଦ୍ଧା ଜଳସ୍ତର ୧୮.୯୨ ଉପରେ ରହିଛି।
ବୈତରଣୀର ବନ୍ୟାଜଳ ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଓ ବାଲିପୋଖରୀ ଏସକେପ୍ ଦେଇ ବ୍ଲକ ଅଞ୍ଚଳକୁ ପ୍ରବେଶ କରି ବ୍ଲକର ୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବନ୍ୟାଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେବାରୁ ଷୋଳମପୁର, ନପଙ୍ଗ, ମାଳଦା, ବାଲିପୋଖରୀ, ବନ୍ଦାଳ, ମଢ଼ିଆଳି, ଝୁଣ୍ଟୁଣା ଆଦି ପଞ୍ଚାୟତର ଶତାଧିକ ଗ୍ରାମର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ଚାଷଜମିରେ ପାଣି ଠିଆ ହୋଇ ରହିବା କାରଣରୁ ଧାନଗଛ ସବୁ ୫ଦିନ ହେଲା ବୁଡ଼ି ଯାଇଛି। ସେହିପରି ଧାମନଗର ବ୍ଲକର ମଲ୍ଲିମାହାରା ଏସକେପ୍ ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟାଜଳ ପ୍ରବାହିତ ହୋଇ ବ୍ଲକର ଦିହୁଡି, ଆନନ୍ଦପୁର, ଖଡ଼ିପଦା, ଦୋବଲ, କରଦା, ସୋହଡ଼ା, ପଧାନୀ, ଦଳାଙ୍ଗ, ଅର୍ଜୁନପୁର, ଧୁଷୁରୀ, କୋଠାର, ବୟାଙ୍ଗଡିହ, ହସନାବାଦ, ପାଳସାହି, ରଇପୁର, ବମକୁରା ଆଦି ୨୦ଟି ପଞ୍ଚାୟତର ଶତାଧିକ ଗାଁର ଚାଷଜମି ଓ ଗାଁରାସ୍ତା ଜଳମଗ୍ନ ହୋଇଛି। ସେହିପରି ବୈତରଣୀ ବନ୍ୟାରେ ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ଟି ପଞ୍ଚାୟତର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଚାନ୍ଦବାଲି ବ୍ଲକର ଆରଡି-ମତୋ ଭାୟା ଧାନକଣିଆ ମୁଖ୍ୟରାସ୍ତାର ଭୂଇଁପୁର ଘୋଷରାଠାରେ ୨ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତା ଦେଇ ଆରଡିରୁ ତିହିଡ଼ି ଓ ଆରଡିରୁ ମତୋ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସିବାରୁ ଚିନ୍ତାରେ ପଡ଼ିଛନ୍ତି ଚାନ୍ଦବାଲି ବ୍ଲକର ହଜାର ହଜାର ଚାଷୀ। ବିଭିନ୍ନ ନାଳ ଓ ଯୋର ଦେଇ ବୈତରଣୀର ବନ୍ୟାପାଣି ଚାଷଜମିକୁ ପ୍ରବେଶ କରିଛି। ଅନ୍ୟପଟେ ବୋଡ଼କ, ଷାଠିବାଙ୍କୁଡ଼ା ଓ ଦୋହରାପାଟଣାଠାରେ ବୈତରଣୀ ନଦୀର ବନ୍ଧ ଦୁର୍ବଳ ଥିବାରୁ ନଦୀକୂଳିଆ ଲୋକେ ଭୟଭୀୟ ହୋଇ ରହିଛନ୍ତି। ଜଳସମ୍ପଦ ବିଭାଗ ତରଫରୁ ଦୋହରାପାଟଣା ଓ ଷାଠିବାଙ୍କୁଡ଼ାଠାରେ ନଦୀବନ୍ଧର ଅସ୍ଥାୟୀ ମରାମତି କରା ଯାଇଥିଲେ ବି ତାହା ସୁରକ୍ଷିତ ନୁହେଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଆରଡି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀବନ୍ଧ ଡେଇଁ ରାସ୍ତାରେ ପାଣି ଚାଲୁଛି। ସାଳନ୍ଦୀ ନଦୀର ବନ୍ୟାଜଳ ପ୍ରବାହିତ ହେବାରୁ ତିହିଡି ବ୍ଲକର ବାରୁଅ, ବିଲଣା, କୋଡ଼କ ଓ ଭଦ୍ରକ ବ୍ଲକର ଅର୍ଣ୍ଣପାଳ ଓ ବିଷ୍ଣୁପୁର ଆଦି ପଞ୍ଚାୟତରେ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କର ଧାନକ୍ଷେତରେ ପାଣି ଜମି ରହିଥିବାରୁ ରୁଆଧାନ ତଳି ସବୁ ପଚିଯାଇଛି। ଆଉ କିଛି ଅଞ୍ଚଳରେ ତଳି ଧାନ ଭାସିଯାଇଛି। ପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ‌ହୋଇଛି।

ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଭଦ୍ରକ ପିଡି, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର