ଖଣ୍ଡପଡ଼ା ବ୍ଲକ୍‌ରେ ମୁଗ ବିହନ ବଣ୍ଟନରେ ଜାଲିଆତି : ମିଳୁନି ବିହନ, ରବି ଫସଲ ପାଇଁ ଚିନ୍ତାରେ ଚାଷୀ

ଖଣ୍ଡପଡ଼ା: କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ‘କାଳିଆ’, ‘ପ୍ରଧାନ ମନ୍ତ୍ରୀ କିଷାନ’ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଚାଷୀଙ୍କୁ ବିଭିନ୍ନ କିସମର ବିହନ ସାଙ୍ଗକୁ ରାସାୟନିକ ସାର, ଔଷଧ ଓ କୀଟନାଶକ ଔଷଧ ମାଗଣାରେ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଖଣ୍ଡପଡ଼ା ବ୍ଲକ୍‌ରେ କାର୍ଯ୍ୟ କରୁଥିବା କୃଷି ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ରବି ଫସଲ ପାଇଁ ଚାଷୀଙ୍କୁ ମୁଗ ବିହନ ମିଳିନାହିଁ। ବରଂ ମୁଗ ବଣ୍ଟନରେ ବ୍ୟାପକ ଜାଲିଆତି ସହ ରାଜନେତା ଓ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ଅଣଚାଷୀ, ଜମିହୀନ ତଥା ଗାଁ’ର କୁଜିନେତା ନିଜ ଭିତରେ ବାଣ୍ଟି ନେଇଥିବା ଅଭିଯୋଗ ଆସିଛି। ସରକାରୀ ନିୟମ ଅନୁଯାୟୀ, ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିରେ ବିହନ ବିକ୍ରୟ ପାଇଁ ଅନୁମତି ଦେବାର ନିୟମ ଥିଲେ ମଧ୍ୟ ଖଣ୍ଡପଡ଼ା ବ୍ଲକ୍‌ର ୧୫ଟି ସେବା ସମବାୟ ସମିତିରେ କୌଣସି ଗୋଟିଏ କେନ୍ଦ୍ରକୁ ବିହନ ବିକ୍ରି ପାଇଁ କୃଷି ବିଭାଗ ଅନୁମତି ଦେଇ ନଥିବା ସମବାୟ ବ୍ୟାଙ୍କ୍‌ର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନ କୁମାର ପାଳ ସୂଚନା ଦେଇ କହିଛନ୍ତି। ଶିଖରପୁର ପଞ୍ଚାୟତର ଲିଙ୍ଗରାଜ ପଣ୍ଡା, ବାବୁଲା ସାହୁ, ଲକ୍ଷ୍ମଣ ମୁଦୁଲି ଆଦିଙ୍କ ସମେତ ଶହ ଶହ ଚାଷୀ ମୁଗ ଫସଲ ପାଇଁ ବିହନ ମିଳୁ ନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏଥିସହ ଶିଖରପୁର ସମବାୟ ସମିତିକୁ ବିହନ ବିକ୍ରୟ ପାଇଁ ଦାୟିତ୍ୱ ଦିଆଯାଇଥିବା ଓ ସମବାୟ ସମିତି ସଭାପତିଙ୍କୁ ହାତ କରି କୃଷି ବିଭାଗ କର୍ମଚାରୀମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିକ୍ରୟ କରାଯାଇଥିବା କହିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଛୁଟିରେ ଥିବା ଓ ଏ ନେଇ କୌଣସି ମତାମତ ଦେଇପାରିବେ ନାହିଁ ବୋଲି କହିଥିଲେ। ବ୍ଲକ୍‌ ସହକାରୀ କୃଷି ଅଧିକାରୀଙ୍କୁ ପଚାରିବାରୁ ସମବାୟ ବିଭାଗ ଉପରେ ସେ ଦୋଷ ଦେଇଥିଲେ।

ତେବେ ଚାଷୀଙ୍କୁ ବିହନ ପ୍ରଦାନ ପରେ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ଚାଷ କ୍ଷେତ ବୁଲି ଦେଖିବାର ନିୟମ ଥିଲେ ମଧ୍ୟ କୌଣସି ଅଧିକାରୀ ନିୟମିତ କ୍ଷେତ ବୁଲି ଦେଖି ଯାଉନଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଆଦିବାସୀ ଅଧ୍ୟୁଷିତ କୋସ୍କା, ସିଂଘାପଡ଼ା, ଢୋଲମରା ଓ କୁମ୍ଭାରପଡ଼ା ଆଦି ଅଞ୍ଚଳକୁ କୃଷି ଅଧିକାରୀ ନିୟମିତ ଯାଉନଥିବା ସ୍ଥାନୀୟ ଜନ ପ୍ରତିନିଧି ଓ ଚାଷୀମାନେ ଅଭିଯୋଗ ଆଣିଛନ୍ତି। କାଳିଆ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ କିଷାନ ଯୋଜନା କିମ୍ବା ମୃତ୍ତିକା କାର୍ଡ ବଣ୍ଟନ ସମ୍ବନ୍ଧୀୟ କୌଣସି ତଥ୍ୟ ବିଭାଗ ପାଖରେ ନଥିବା ସଂପୃକ୍ତ କୃଷି ଅଧିକାରୀ ଅସହାୟତା ପ୍ରକାଶ କରି କହିବା ସହ ସରକାରୀ ଯୋଜନାର ବିଫଳତାକୁ ପଦାରେ ପକାଇଛି। ରାଜ୍ୟ ସରକାର କୃଷି ବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ‘ମୋ ସରକାର’ରେ ସାମିଲ୍‌ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଓ ଲୋକ ପ୍ରତିନିଧି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର