ରାଜପଥ ଅବରୋଧ କରିବେ ଚାଷୀ

ଗଦଗଦା ଜଳସେଚନ ପ୍ରକଳ୍ପ ପାଇଁ ଆନ୍ତରିକତା ନାହିଁ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକର ଗଦଗଦା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ଦୀର୍ଘ ୩୫ ବର୍ଷ ହେଲା ଦାବି କରି ଆସୁଛନ୍ତି। ହେଲେ ସରକାରଙ୍କର ଏଥିପ୍ରତି ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି। ଏଣୁ ଗଦଗଦା ଜଳସେଚନ ପ୍ରକଳ୍ପ ସଂଘର୍ଷ ସମିତି ଡାକରାରେ ଶତାଧିକ ଚାଷୀ ଆଜି ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଅନୁଗୁଳଠାରେ ରାଜରାସ୍ତା ଅବରୋଧ କରିବା ସହ ରେଳପଥ ମଧ୍ୟ ଜାମ୍‌ କରାଯିବ ବୋଲି ସମିତିର ବଂଶୀଧର ସେଠୀ, ସତ୍ୟନାରାୟଣ ପ୍ରଧାନ, ଅଲେଖ ପ୍ରଧାନ, ଧ୍ରୁବ ଚରଣ ସାହୁ, ହୃଦାନନ୍ଦ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଲୋୟର ପିଏମ୍‌ଜିରେ ଏହି ପ୍ରତିବାଦ ସଭା ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ପ୍ରତିବାଦ ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ଆନ୍ଦୋଳନକୁ ଯଥାର୍ଥ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, କିଶୋର ନଗର ବ୍ଲକର ଝରାବେରେଣୀ, ଧଡ଼ରପାଳ ଓ ହିମିତିରା ଗ୍ରାମ ପଞ୍ଚାୟତ ଦେଇ ଚିରସ୍ରୋତା ମାନଜୋର ବହିଯାଇଛି। ରସୁଣପାଳ ନିକଟରେ ଏକ ଆଡ଼ିବନ୍ଧ ତିଆରି କରିବା ସହ ଏକ କେନାଲ କଲେ ୩ ପଞ୍ଚାୟତର ୧୦ଟି ଗ୍ରାମ ଜଳସେଚିତ ହୋଇ ପାରିବ। ଏହି ସ୍ଥାନ ଜୟଗଡ଼ର ୧୦ କିଲୋମିଟର ନିମ୍ନ ଓ ମାନଜୋର ଜଳଭଣ୍ଡାରଠାରୁ ୨୫ କିଲୋମିଟର ଉପରେ ଅବସ୍ଥିତ। ପ୍ରସ୍ତାବିତ ପ୍ରକଳ୍ପର କ୍ୟାଚ୍‌ମେଣ୍ଟ ଏରିଆ ୮୦ ବର୍ଗ କିଲୋମିଟର। ୧୯୮୦ ମସିହାରେ ଚାଷୀମାନେ ପଥର ବନ୍ଧ ବାନ୍ଧି ଜମିକୁ ପାଣି ମଡ଼ାଇଥିବା ନଜିର ରହିଛି। ବଡ଼କଥା ହେଉଛି ବାରମ୍ବାର ଦାବି ପରେ ଜାନୁଆରି ୧୦ ତାରିଖରେ ଅନୁଗୁଳ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସର୍ବେକ୍ଷଣ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏହା ନିର୍ମାଣ ହେବା ଦାବି ସମ୍ପୂର୍ଣ୍ଣ ଗ୍ରହଣୀୟ ହୋଇଥିଲେ ମଧ୍ୟ ରାଜନୈତିକ ପଶାପାଲିରେ ଚାଷୀମାନେ ବଳି ପଡ଼ିଛନ୍ତି ବୋଲି ସମିତି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର