ବରଗଡ଼ : ଦୁଇ ଦିନର ତର୍ଜମା ପରେ କଳାପାଣି ଭାଗଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ରିପୋର୍ଟ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ପାଖକୁ ପଠାଇଛି। ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି, ସେନେଇ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ କିଛି ସ୍ପଷ୍ଟ କରିନାହାନ୍ତି। କେବଳ ଏତିକି କହିଲେ ଯେ, ଜିଲ୍ଲାର ଚକଡ଼ା ପୋକ ସଂପର୍କିତ ରିପୋର୍ଟ ଏବଂ ବୃନ୍ଦା ଆତ୍ମହତ୍ୟାର ରିପୋର୍ଟ ଧାର୍ଯ୍ୟ ସମୟରେ ହିଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ତେବେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଟିପ୍ପଣୀ ପରେ ପ୍ରଶାସନର ରିପୋର୍ଟ ନକରାତ୍ମକ ରହିଛି ବୋଲି ଚାଷୀମାନେ ଏବେଠୁ ଅଭିଯୋଗ କରିବା ଆରମ୍ଭ କରି ଦେଲେଣି। କେଇ ଦିନ ଭିତରେ ବଡ଼ ଆନ୍ଦୋଳନ ପାଇଁ ଜିଲ୍ଲାର ଚାଷୀ ଏବଂ କୃଷି ସହ ଜଡ଼ିତ ସଂଗଠନମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଆଭାସ ମିଳିଛି। ବୃନ୍ଦାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ କୃଷି ବିଭାଗର ଅଧିକାରୀଙ୍କ ମିଳିତ ଟିମ୍ ମାମଲାର ତଦନ୍ତ କରିଥିଲା। ଏହି ଟିମ୍ ଜମିର ଅସଲ ମାଲିକ ଏବଂ ମୃତ ଚାଷୀଙ୍କ ପରିବାରବର୍ଗଙ୍କ ବୟାନ ମଧ୍ୟ ନେଇଥିଲା। ସମାନ୍ତରାଳ ଭାବେ ଭୁବନେଶ୍ୱରରୁ ଆସିଥିବା ତିନି ଜଣିଆ ଟିମ୍ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କୀଟନାଶକ ଦୋକାନ ଉପରେ ଚଢ଼ଉ ଜାରି ରଖିଥିଲା। କୀଟନାଶକ ଗୁଡ଼ିକର ମାନ ପରୀକ୍ଷା ପାଇଁ ନମୁନା ଗୁଡ଼ିକ ସଂଗ୍ରହ କରାଯାଇଛି। ଜିଲ୍ଲାସ୍ତରୀୟ ଟିମ୍ର ରିପୋର୍ଟ ଆଧାରରେ ହିଁ ବୃନ୍ଦାଙ୍କ ପରିବାରକୁ କ୍ଷତିପୂରଣ ମିଳିବ ନା ନାହିଁ, ତାହା ନିର୍ଭର କରୁଛି। କିନ୍ତୁ କୃଷି ମନ୍ତ୍ରୀଙ୍କ ବୟାନ ପରେ କ୍ଷତିପୂରଣ ଆଶା ମଉଳି ଯାଇଛି।
‘ସରକାର ସହାୟତା ଦେବନି ବୋଲି ଜଣାଥିଲା’
ବରଗଡ଼ : କୃଷିମନ୍ତ୍ରୀ ଦାମ ରାଉତଙ୍କ ଟିପ୍ପଣୀ ପରେ ମୃତ ବୃନ୍ଦା ସାହୁଙ୍କ ପରିବାରବର୍ଗ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଜଣେ ଚାଷୀଙ୍କ ସମସ୍ୟା କଥା ବୁଝି ପାରୁନଥିବା କୃଷିମନ୍ତ୍ରୀ ନିଜ ପଦବି ପାଇଁ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବୃନ୍ଦାଙ୍କ ପରିବାରବର୍ଗ ଦାବି କରିଛନ୍ତି। ସାନ ଝିଅ ପ୍ରୀତି କହିଛନ୍ତି ଯେ, ସରକାରଙ୍କ ଠାରୁ କିଛି କ୍ଷତିପୂରଣ କିମ୍ବା ସହାୟତା ମିଳିବ ବୋଲି ଆଦୌ ଆଶା ନଥିଲା। ଜମି ସାରା ଚକଡ଼ା ଲାଗି ଗଲା। ସରକାର କିଛି ସାହାଯ୍ୟ କରିବେ ବୋଲି ବାପାଙ୍କ ବିଶ୍ୱାସ ନଥିଲା। ତେଣୁ ସେ ବିଷ ପିଇ ଦେଲେ। ସରକାର ଉପରେ ଭରସା ଥିଲେ ସେ (ବୃନ୍ଦା) ଏଭଳି ପଦକ୍ଷେପ ନେଇନଥାନ୍ତେ।
ଚାଷୀଙ୍କୁ ଉସକାଉଛନ୍ତି ବିରୋଧୀ: ମହାରଥୀ
ପାରାଦୀପ : ବିରୋଧୀମାନେ ଉସ୍କାଇବା ଯୋଗୁ ଚାଷୀମାନେ ଚାଷଜମିରେ ନିଆଁ ଲଗାଇ ଦେଉଛନ୍ତି। ଆଜି ଏଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହା କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃଷିମନ୍ତ୍ରୀ ଯେମିତି ନିନ୍ଦିତ ହେବେ ସେଥିପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରାଯାଉଛି। ଏହା ବିରୋଧୀଙ୍କୀ ଷଡ଼ଯନ୍ତ୍ର।