ଧାନ ଫସଲରେ ନିଆଁ ଲଗାଇଲେ ଚାଷୀ 

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ରୋଗପୋକର ପ୍ରଭାବ ଅଣାୟତ୍ତ ହେବା ପରେ ଚକଡ଼ା ପୋକ ପ୍ରଭାବରେ ଚାଷୀ ଅତିଷ୍ଠ ହୋଇ ଶେଷରେ କୃଷି ବିଭାଗ ଉପରେ ଆକ୍ରୋଶ ପ୍ରଦର୍ଶନ ପୂର୍ବକ  ନିଜର ଉଜୁଡ଼ା ଚାଷରେ ନିଆଁ ଲଗାଇବା ଘଟଣା ଏଠାରେ କୃଷି ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।

ସୂଚନାନୁସାରେ ଜୟପାଟଣା ବ୍ଲକ୍‌ ଅଞ୍ଚଳରେ ୨୯ ହଜାର ହେକ୍ଟର ଧାନ ଚାଷ ଓ ଅନ୍ୟାନ୍ୟ ଡାଲି ଓ ତୈଳବୀଜ ଚାଷ ହୋଇଥିବା ବେଳେ ପ୍ରାୟ ୨ ହଜାର ହେକ୍ଟର ଧାନ ଚାଷ ଜମି ଏବେ ବି ପ୍ରଭାବିତ। ପୂର୍ବରୁ ମହିଷା, କଳାମହିଷା, ଲେଡ଼ା, କାଣ୍ଡବିନ୍ଧା, ମାଟିଆଗୁଣ୍ଡି ଆଦି ରୋଗ ପୋକରେ ଆରମ୍ଭରୁ ହିଁ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଏବେ ମାଟିଆଗୁଣ୍ଡି ପୋକ ଦମନରେ ଚାଷୀ ସଂପୂର୍ଣ୍ଣ ଅସମର୍ଥ ହୋଇପଡ଼ିଛି। ବାରମ୍ବାର ଔଷଧ ସିଞ୍ଚନ ପରେ ମଧ୍ୟ କୌଣସି ଫଳ ନମିଳିବାରୁ ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ବାଣ୍ଡିଗାଁର ଚାଷୀ କେଶବଚନ୍ଦ୍ର ପାଣିଗ୍ରାହୀଙ୍କ ମୋଟ ସାଢ଼େ ୩ ଏକର ଚାଷ ମଧ୍ୟରୁ ୨୦ ଡେସିମିଲ ପ୍ରଭାବିତ ଚାଷକୁ ଗତ ସଂଧ୍ୟାରେ ନିଆଁ ଲଗାଇ ନଷ୍ଟ କରି ଦେଇଥିବା ଜଣାପଡ଼ିଛି।

ଏହି ଘଟଣା ଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ଦରଦ ଦେଖାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଘଟଣାର କୌଣସି ଗୁରୁତ୍ୱ ଦେଇନଥିବା ଦେଖିବାକୁ ମିଳିଛି। ଏକ କୃଷିଭିତ୍ତିକ ଇଲାକାରେ କୃଷି ବିଭାଗର ଜାଣିଶୁଣି ଅବହେଳା ପ୍ରଦର୍ଶନକୁ ଏବେ ଚାଷୀ ଗୁରୁତର ଭାବରେ ଗ୍ରହଣ କରିଥିବା ଜଣାପଡ଼ିଛି। ବିଭାଗକୁ ସୁଦୃଢ଼ ନକଲେ ଆଗାମୀ ଦିନରେ କୃଷକମାନଙ୍କ ମଧ୍ୟରେ ଥିବା ଆକ୍ରୋଶ ଏକ ଭୟଙ୍କର ସ୍ଥିତି ଉତ୍ପନ୍ନ କରିପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର