କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ପୁଟ୍ରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଚିନ୍ତାଗ୍ରସ୍ତ ଚାଷୀ ଲାଇବାନ ଭତ୍ରା (୪୮ବର୍ଷ) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି। ସବୁବେଳେ ଚିନ୍ତିତ ରହୁଥିଲେ, ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଅ ଖଗପତି ଅଭିଯୋଗ କରିଛନ୍ତି। ଏତଲା ମିଳିବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଅ ଖଗପତିଙ୍କ କହିବାନୁଯାୟୀ, ଚାଷରୁ ବହୁତ କମ୍‌ ଆୟ ହେଉଥିଲା। ତେଣୁ ପରିବାର ଚଳାଇବାରେ କଷ୍ଟ ହେବାରୁ ସବୁବେଳେ ବାପା ଚିନ୍ତାଗ୍ରସ୍ତ ରହୁଥିଲେ। ମାସକ ତଳେ ଜେଜେବାପାଙ୍କ ମୃତ୍ୟୁ ହେବାରୁ ଶୁଦ୍ଧିକ୍ରିୟାରେ ବହୁ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ବାପା ସବୁବେଳେ ଅନ୍ୟମନସ୍କ ରହୁଥିଲେ। ହାତରେ ଆଉ ଟଙ୍କା ନଥିବାରୁ କିଭଳି ଚାଷ କରିବେ ଓ ପରିବାର କେମିତି ଚଳିବ ‌ସେଥିପାଇଁ ବିବ୍ରତ ରହୁଥିଲେ। ଗତକାଲି ବାପା ଜମିକୁ ଯାଇ ସେଠାରୁ ସନ୍ଧ୍ୟାରେ ଘରକୁ ଫେରିଥିଲେ। ରାତି ପାଖାପାଖି ୯ଟାରେ ପରିବାରର ସବୁ ସଦସ୍ୟ ଏକାଠି ଭୋଜନ କରିଥିଲେ। ଏହାପରେ ସମସ୍ତେ ନିଜ ନିଜ ଶୋଇବା ଘରକୁ ଚାଲି ଯାଇଥିଲେ। କିନ୍ତୁ କିଛି ସମୟରେ ପରେ ମା’ ହଠାତ୍‌ ଚିତ୍କାର କରିବାରୁ ନିଜ ନିଜ ଶୋଇବା ଘରକୁ ସମସ୍ତେ ବାହାରିବା ବେଳକୁ ବାପା ଛଟପଟ ହେଉଥିଲେ। ବାପା କୀଟନାଶକ ‌ଔଷଧ ପିଇ ଦେଇଥିବା ଜଣାପଡ଼ିବାରୁ ତୁରନ୍ତ ଉଦ୍ଧାର କରି ରାବଣାଗୁଡ଼ା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ହିଁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଖଗପତି କହିଛନ୍ତି।

ଏ ନେଇ ସୋମବାର ଦିନ ଖଗପତି ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହାକୁଭିତ୍ତି କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେଉଁ କାରଣରୁ ଲାଇବାନ ଆତ୍ମହତ୍ୟା କଲେ ତାହାର ତଦନ୍ତ ଚାଲିଥିବା ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ଶେଷ ହେବାପରେ ସତ୍ୟାସତ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର