ବରଗଡ଼: ଋଣ ଭାରରେ ଅତିଷ୍ଟ ହୋଇ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବରଗଡ଼: ଗତକାଲି ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ମରୁଡ଼ି ସହାୟତା ରାଶି ଘୋଷଣା କରିଛନ୍ତି। ମାତ୍ର ଚାଷୀ କରିଥିବା ଋଣ ଓ ମରୁଡ଼ି ସହାୟତା ମଧ୍ୟରେ ରହିଛି ଢ଼େର ଫରକ। ଏହିଭଳି ଏକ ପରିସ୍ଥିତିରେ ବରଗଡ଼ ଜିଲ୍ଲା ଗାଏସିଲେଟ୍‌ ବ୍ଲକ୍‌ ମଲମୁଣ୍ଡା ଗ୍ରାମର ଇନ୍ଦ୍ରଜିତ ବରିହା ନାମକ ଜଣେ ଚାଷୀ ଋଣଭାର ସହିତ ଫସଲ ନଷ୍ଟ ରେ ମ୍ରିୟମାଣ ହୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
ମୃତ ଶ୍ରୀ ବରିହାଙ୍କ ପତ୍ନୀ ତୁଳସା ବରିହା କହିଛନ୍ତି ଯେ ଇନ୍ଦ୍ରଜିତ ଧାର କରଜ କରି ୫ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ମରୁଡ଼ି ଓ ରୋଗ ପୋକ ଯୋଗୁଁ ଫସଲ ଉଜୁଡ଼ି ଯାଇଛି। ଫସଲ ଉଜୁଡ଼ି ଯାଇଥିବା ବେଳେ ଚାଷ କରିବା ପାଇଁ ଇନ୍ଦ୍ରଜିତ ପ୍ରାୟ ୧ ଲକ୍ଷ ଟଙ୍କା ହାତ ଉଧାରି ଆଣିଥିଲେ। ଯାହାକୁ ନେଇ ଇନ୍ଦ୍ରଜିତ ମାନସିକ ଭାରସାମ୍ୟ ହରାଇ ଗତ ରବିବାର ଦିନ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ପଦ୍ମପୁର ଓ ତା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ଇନ୍ଦ୍ରଜିତଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର