କୋଲାବିରା : ପୁଣି ଫସଲନଷ୍ଟ ଓ ଋଣଚିନ୍ତା ନେଲା ଆଉ ଜଣେ ଚାଷୀଙ୍କ ଜୀବନ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସମାସିଂହା ପଞ୍ଚାୟତରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଭାଗଚାଷୀ ହେଲେ କୁଲିତା ସମାସିଂହା ଗାଁର ଯୁଧିଷ୍ଠିର ମଲ୍ଲିକ (୪୮)। ନିଜ ଘରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି।
ଯୁଧିଷ୍ଠିରଙ୍କ ପରିବାରରେ ସ୍ତ୍ରୀ ଦ୍ରୌପଦୀ, ୨ ଝିଅ, ୨ ପୁଅ ଅଛନ୍ତି। ବର୍ଷକ ତଳେ ବଡ଼ ଝିଅର ବିବାହ ହୋଇସାରିଛି। ପରିବାର ଲୋକେ କହିଛନ୍ତି, ବଡ଼ ଝିଅର ବାହାଘର ପାଇଁ ସେ ଗୁଡ଼ାଏ ଟଙ୍କା କରଜ କରିଥିଲେ। ଚାଷ ପାଇଁ ବି କିଛି ଋଣ କରିଥିଲେ। ଏଥର ଖରିଫଋତୁରେ ଧାନ ଅମଳ ନୈରାଶ୍ୟଜନକ ହୋଇଥିବାରୁ ଋଣଚିନ୍ତା ବଢ଼ି ଯାଇଥିଲା। ଏମିତିକି ପରିବାର ଚଳାଇବା ଚିନ୍ତା ବି ଘାରିଥିଲା। ଏଥିପାଇଁ ସେ ମାନସିକ ସ୍ତରରେ ଭାରାକ୍ରାନ୍ତ ଥିଲେ। ଅନେକ ସମୟରେ ଯୁଧିଷ୍ଠିର ଦିନ ମଜୁରିଆ ଭାବେ ଝାରସୁଗୁଡ଼ାରେ କାମ କରୁଥିଲେ। ତେବେ ରବିବାର ଶୋଇବା ଘରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପରିବାର ଲୋକ ହତବାକ୍ ହୋଇଯାଇଥିଲେ। ଖବର ପାଇ କୋଲାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଥିଲା।
ଋଣ ପରିଶୋଧ ଚିନ୍ତାରେ ଯୁଧିଷ୍ଠିର ଆତ୍ମହତ୍ୟା କରିଥିବା ଗାଁ ଲୋକେ କହିଛନ୍ତି। ସରକାରୀ ଯୋଜନାରେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ହେମନ୍ତ ସାହୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/far.jpg)