ସହିପାରିଲେନି ଋଣ ଭାର, ଆତ୍ମହତ୍ୟା କଲେ ଚାଷୀ

ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୪ ତାରିଖ ସନ୍ଧ୍ୟାରେ ଗାଁ’ର କୈବଲ୍ୟ ରୋହିଦସ (୪୫ ବର୍ଷ) କୀଟନାଶକ ଔଷଧ ଖାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଯାଇଛି। ଧାନ ବିକ୍ରି କରି ନ ପାରି ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

କୈବଲ୍ୟଙ୍କ ପତ୍ନୀ ବିଳାସିନୀଙ୍କ କହିବାନୁସାରେ ସେ ଚଳିତ ବର୍ଷ ୬ ଏକର ଜମିରେ ଧାନ ଚାଷ କରିଥିଲେ। ସେଥିରୁ ୨ ଶହ କ୍ୟୁଣ୍ଟାଲ ଧାନ ଅମଳ ହୋଇଥିବା ବେଳେ ୩ ଏକର ଜମିର କାର୍ଡୋଳା ସେବା ସମବାୟ ସମିତିରେ ପଞ୍ଜୀକରଣ କରିଥିବାରୁ ସେଠାରେ ମାତ୍ର ୪୫ କ୍ବିଣ୍ଟାଲ ଧାନ ବିକ୍ରି କରିପାରି ପାରିଥିଲେ। ବାକି ଧାନ ବିକିପାରି ନଥିଲେ। ତେଣେ କୈବଲ୍ୟ ଚାଷ ପାଇଁ ସରକାରୀସ୍ତରରେ ୧ ଲକ୍ଷ ଓ ବେସରକାରୀସ୍ତରରେ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ। ଧାନ ବିକ୍ରି ନ ହେବାରୁ ଋଣ ପରିଶୋଧ କରି ନ ପାରି ସେ ମାନସିକ ଚାପରେ ଥିଲେ। ଏହାକୁ ନେଇ ପାରିବାରିକ ମନୋମାଳିନ୍ୟ ଘଟିବାରୁ ଗତ ୪ ତାରିଖ ସନ୍ଧ୍ୟାରେ ସେ ଘରେ ଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି।

 

ଧାନ ବିକ୍ରି ହୋଇପାରି ନଥିବା ଓ ଋଣ ପରିଶୋଧ ଚିନ୍ତାରେ ବାପା ଆତ୍ମହତ୍ୟା କରିଥିବା କୈବଲ୍ୟଙ୍କ ଦୁଇ ପୁଅ ଦଶରଥ ରୋହିଦାସ (୨୭) ଓ ହିମାଂଶୁ ରୋହିଦାସ କହିଛନ୍ତି। ମିଳିଥିବା ସୂଚନାନୁସାରେ କୈବଲ୍ୟ କାର୍ଡୋଳା ସେବା ସମିତିରେ ପୁରୁଣା ଋଣ ଶୁଝି ପୁଣି ୨୦୨୧-୨୨ ବର୍ଷ ପଇଁ ୫୯,୯୩୬ ଟଙ୍କା ଋଣ ନେଇଥିଲେ। ଏକ ପାୱାର୍‌ ଟିଲର୍‌ କିଣି କେତେକ କିସ୍ତି ସୁଝିବା ପରେ ତାଙ୍କ ଉପରେ ଆଉ ୭୨,୯୮୯ ଟଙ୍କା ଋଣ ରହିଛି। ଆତ୍ମହତ୍ୟା ଖବରପାଇ ରେଙ୍ଗାଲି ବିଧାୟକ ନାଉରୀ ନାୟକ କୈବଲ୍ୟଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସ୍ୱାନ୍ତନା ଦେଇଥିଲେ। ଏଥି ସହିତ ଆର୍ଥିକ ସହାୟତା କରିବା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ସହ ଋଣ ଛାଡ଼ କରାଇବାକୁ ପ୍ରଶାସନ ନିକଟରେ ଦାବି କରିବେ ବୋଲି ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକଙ୍କ ସହ ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, କୁଚିଣ୍ଡାର ପୂର୍ବ ବିଧାୟକ ରବି ନାରାୟଣ ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଉପାଧ୍ୟକ୍ଷl ସୁଷମା ସାହୁ, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଧାନ, ମୁରଲୀ ଛୁରିଆ, ଦେବେନ୍ଦ୍ର ନାୟକ, ମନୋଜ ସାହୁ, ରାଜ୍ୟ ସମ୍ପାଦକ ଟକଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧନକଉଡା ବିଡିଓ ବସନ୍ତ ହାତୀ, ସଦର ତହସିଲଦାର ଲକ୍ଷ୍ମଣ ଅମାତ ଓ ବ୍ଲକ୍‌ କୃଷି ଅଧିକାରୀ ଉଦୀପ୍ତ ତ୍ରିପାଠୀ ଗାଁ’ରେ ପହଞ୍ଚି କୈବଲ୍ୟଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଉପଯୁକ୍ତ ତଦନ୍ତ ସହ ସରକାରୀ ସହାୟତା ପ୍ରଦାନ ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର