ସମ୍ବଲପୁର/ଯୁଯୁମୁରା: ଧାନଚାଷରେ ଝାଳବୁହା ପରିଶ୍ରମ କରିଥିଲେ ବାପା। ବିକ୍ରି ମୂଲ୍ୟ ତ ପାଇଲେନି, ଏପଟେ ଚାଷ ପାଇଁ କରିଥିବା ଋଣ ପରିଶୋଧ ଓ ପରିବାର ପୋଷଣ ଚିନ୍ତା ହିଁ ତାଙ୍କୁ ଘାରିଥିଲା। ଏଭଳି ଦୁଃସ୍ଥିତିରେ ଗତକାଲି ଦିନ ପ୍ରାୟ ଗୋଟାଏ ବେଳକୁ ସେ ବିଷପିଇ ଦେଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ବୈରାଗୀପାଲି ଗ୍ରାମରେ ଆତ୍ମହତ୍ୟା କରିଥିବା କ୍ଷୁଦ୍ରଚାଷୀ ରତ୍ନାକର ଭୋଇଙ୍କ ଝିଅ ଦେବକୀ ଭୋଇଙ୍କ ଏହା ହେଉଛି ବେଦନାଭରା ପ୍ରତିକ୍ରିୟା।
ଅଧା ଦାମରେ ବିକ୍ରି କରିଛନ୍ତି ଧାନ
ଋଣ ଚିନ୍ତା ଜୀବନ ନେଇଥିବା ଅଭିଯୋଗ
ଚଳିତବର୍ଷ ପ୍ରଥମଥର ପାଇଁ ଚାଷୀଙ୍କୁ ବୋନସ୍ ଦେଉଛନ୍ତି ସରକାର। କିନ୍ତୁ ଏହି ସମୟରେ ରତ୍ନାକରଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପରିବାରର ସୂଚନା ଅନୁସାରେ, ରତ୍ନାକର ୨ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଡିଲର୍ଙ୍କଠାରୁ ୫ ପ୍ରତିଶତ ସୁଧ ହିସାବରେ ୭୦ ହଜାର ଟଙ୍କା, ପିଏନ୍ବିଠାରୁ ପାୱାରଟିଲର୍ ପାଇଁ ୩୫ ହଜାର ଟଙ୍କା ସହିତ ପୁରୁଣା ଋଣ ରହିଥିଲା। ଆଶା କରିଥିଲେ ଧାନ ବିକ୍ରି ମୂଲ୍ୟ ମିଳିଲେ ସବୁ ପରିଶୋଧ କରିବେ। କିନ୍ତୁ ଚଳିତବର୍ଷ ବର୍ଷା ଅଭାବରୁ ଏବଂ ଏଲ୍ଆଇ ପଏଣ୍ଟ ବାରମ୍ବାର ଅଚଳ ହେବା କାରଣରୁ ଅଧାରୁ ଅଧିକ ଫସଲ ନଷ୍ଟ ହୋଇ ଯାଇଥିଲା। ଦୁଇ ଏକର ହିସାବରେ ୧୦୦ରୁ ୧୨୦ ବସ୍ତା ବଦଳରେ ମାତ୍ର ୫୦ ବସ୍ତା ଧାନ ପାଇଥିଲେ ରତ୍ନାକର। ସେଥିରେ ପୁଣି ଦାଉ ସାଧିଥିଲା ଅଦିନିଆ ବର୍ଷା। ଧାନବିକ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବର୍ଷାରେ ଧାନ ପେଟା ଭିଜି ଯାଇଥିଲା। ବଳକା ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରିବା ବେଳକୁ ସେ କେଜି ହିସାବରେ ମାତ୍ର ୧୬ ଟଙ୍କା ଅର୍ଥାତ୍ କ୍ବିଣ୍ଟାଲ ୧୬୦୦ ଟଙ୍କା ପାଇଥିଲେ। ସୂଚନା ଅନୁଯାୟୀ, ଧାନର ଏମ୍ଏସ୍ପି ୨୩୦୦ ଟଙ୍କା ଏବଂ ବୋନସ୍କୁ ମିଶାଇଲେ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଦେଉଛନ୍ତି ସରକାର। କିନ୍ତୁ ରତ୍ନାକରଙ୍କ ଭଳି କ୍ଷୁଦ୍ରଚାଷୀ ମଣ୍ଡି ନ ଯାଇ ଦଲାଲ କିମ୍ବା ବ୍ୟବସାୟୀଙ୍କୁ ବିକ୍ରି କରିବା ଫଳରେ ଅଧାରୁ ମଧ୍ୟ କମ୍ ଟଙ୍କା ପାଇଛନ୍ତି। ମଣ୍ଡିକୁ ନଯିବା ନେଇ ରତ୍ନାକରଙ୍କ ଭାଇ କହିଛନ୍ତି, ମଣ୍ଡିରେ ଧାନବିକ୍ରି ପାଇଁ ଚାଷୀ ପରିଚୟପତ୍ର ସହିତ ଅନେକ ଦସ୍ତାବିଜ୍ର ଆବଶ୍ୟକତା ଥାଏ। ଯାହା ପୂରଣ କରିବା ସମ୍ଭବ ହୁଏ ନାହିଁ। ତା’ଛଡ଼ା ଦୂରତା ଏବଂ ଅନ୍ୟ କାରଣରୁ ମଣ୍ଡିରେ ବିକ୍ରି କରିବା ଛୋଟଚାଷୀଙ୍କ ପାଇଁ ସୁବିଧାଜନକ ହୁଏ ନାହିଁ। ତେଣୁ କେବଳ ରତ୍ନାକର ନୁହନ୍ତି, ଅଧିକାଂଶ କ୍ଷୁଦ୍ରଚାଷୀ ମଣ୍ଡିରେ ଧାନବିକ୍ରି କରନ୍ତି ନାହିଁ। ରତ୍ନାକରଙ୍କ ପରିବାରରେ ସ୍ତ୍ରୀ ସୁଷମାଙ୍କ ସହିତ ୭ ଝିଅ, ପୁଅ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/kJA3C3ssunWGQU0UGNOQ.jpg)