କେନ୍ଦ୍ରାପଡ଼ା: ବାତ୍ୟା ‘ଜୱାଦ୍‌’ରେ ପ୍ରଭାବିତ ଚାଷୀ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କ ଗୋଡ଼ ଧରି ନେହୁରା ହୋଇ କାନ୍ଦିଛନ୍ତିି । କେନ୍ଦ୍ରାପଡ଼ା କଜଳା ଗାଁରେ ବାତ୍ୟା ଜୱାଦର କ୍ଷୟକ୍ଷତି ଆକଳନ ବେଳେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି । ରାଜସ୍ୱ ନିରୀକ୍ଷକଙ୍କ ହାତଗୋଡ ଧରି ନେହୁର ହୋଇ ଚାଷୀ କାନ୍ଦିଛନ୍ତି । କେନ୍ଦ୍ରାପଡା ଜିଲ୍ଲା କଜଳା ଗାଁର ଜଣେ ଭାଗଚାଷୀ ଅଢେଇ ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷା ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ।

Advertisment

ଏବେ ଅମଳ ବେଳେ ବିଲରେ ପାଣିରେ ବୁଡିଥିବା ଧାନଗଛକୁ ଦେଖି କୋହ ସମ୍ଭାଳିପାରୁନି ଚାଷୀ । କ୍ଷୟକ୍ଷତି ପାଇଁ ଯାଇଥିବା ରାଜସ୍ୱ ନିରୀକ୍ଷକଙ୍କ ଆଗରେ ଫସଲ ଉଜୁଡିଯିବାର ଦୁଃଖ ବଖାଣି ଚାଷୀ କାନ୍ଦିପକାଇଛନ୍ତି। ବର୍ଷାରେ ବିଲରୁ ପାଣି ଶୁଖିନଥିବା ବେଳେ ଫାଚିଲା ଧାନ ନଷ୍ଟ ହୋଇଯାଇଛି । ତେବେ ଋଣ କରି ଚାଷ କରିଥିବା ଭାଗଚାଷୀ ଏବେ କେମିତି କରଜ ସୁଝିରେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।

ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟରୁ ଏହା ଜଣାପଡ଼ିଛି। ବାତ୍ୟା ଯୋଗୁଁ ରାଜ୍ୟର ୧୨ ଜିଲ୍ଲାର ୧୩୧ ବ୍ଲକର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଜିଲ୍ଲା ଗୁଡ଼ିକରେ ଧାନ କାଟିବା ପୂର୍ବରୁ ବର୍ଷା ଆସିଥିବାରୁ ଅଧିକ କ୍ଷତି ହୋଇଛି। ତେଣୁ ଚାଷୀମାନଙ୍କ ଆଖିରୁ ଲୁହ ବାହାରିଛି। ତେବେ ତୃଣମୂଳ ସ୍ତରରେ କ୍ଷୟକ୍ଷତି ଆକଳନ ଜାରି ରହିଛି।