ଫସଲ ବୀମା ପାଇଁ ଆନ୍ଦୋଳନ: ଧାରଣା ବେଳେ ଚାଷୀଙ୍କ ମୃତ୍ୟୁ

ପାଇକମାଲ/ସୋହେଲା: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ପଳସଦା ଅଞ୍ଚଳର ଚାଷୀମାନେ ୨୦୧୭ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ଗତ ୨୩ ତାରିଖରୁ ଧାରଣା ଦେଇ ଆସୁଥିବା ସମୟରେ ଜଣେ ଧାରଣାରତ ଚାଷୀ ପଳସଦା ଗାଁର ଗୋବିନ୍ଦ ବିଶ୍ୱାଳ (୫୦)ଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଏ ନେଇ ରାସ୍ତାରୋକ ଓ ଆନ୍ଦୋଳନ କରାଯାଇଛି। ମଙ୍ଗଳବାର ସକାଳେ ପାଇକମାଳ-ପଦ୍ମପୁର ରାସ୍ତା ଗୌରଝୁରୀଠାରେ ଚାଷୀମାନେ ଗୋବିନ୍ଦଙ୍କ ଶବ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଦିନ ୧୧ଟାରେ ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଏଆରସିଏସ ଦିବାକର ଭୋଇ, ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଶସ୍ୟ ବୀମା ପ୍ରଦାନ ସହ ମୃତ ଚାଷୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରଥିଲେ। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଜିଲ୍ଲାପାଳଙ୍କୁ ଅବଗତ କରାଇ ପଦକ୍ଷେପ ନିଆଯିବ, ବୀମା ରାଶି ପ୍ରଦାନ କରାଯିବ ବୋଲି କହିଥିଲେ। ଏହା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର