ସାପ କାମୁଡ଼ାରେ ଯୁବଚାଷୀ ମୃତ

ଚଣ୍ଡିଖୋଲ : ସାପ କାମୁଡ଼ାରେ ବଡ଼ଚଣା ବ୍ଲକ୍‌ ତଥା ଶାନ୍ତିପୁର ପଞ୍ଚାୟତ ବେଣାପୁର ଗ୍ରାମର ସ୍ବର୍ଗତ ଲକ୍ଷ୍ମୀଧର ନାୟକଙ୍କ ସାନପୁଅ ମାନସ (୩୨)ଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ମାନସ ଘର ପାଖ ଜମିକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ଚଣା ପୁଲିସ ପହଞ୍ଚି ଶବ ଜବତ କରିବା ସହ କେସ୍‌ ନମ୍ବର ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିବା ବେଳେ ପୁତୁରା ଅଭିଷେକ ମୁଖାଗ୍ନି ଦେଇଥିଲେ। ଏହି ଯୁବଚାଷୀଙ୍କ ଅକାଳ ବିୟୋଗରେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଶ୍ରୀବତ୍ସ ବିଶ୍ୱାଳ, ପଲ୍ଲୀ ମଙ୍ଗଳ ସମବାୟ ସମିତି ସଭାପତି ସଞ୍ଜୟ କୁମାର ସ୍ୱାଇଁ ଓ ସରପଞ୍ଚ ମୀନକେତନ ସେଠୀଙ୍କ ସମେତ ବହୁଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମାନସଙ୍କ ପତ୍ନୀ ଓ ୪ ବର୍ଷର ଗୋଟିଏ ଝିଅ ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର