ବିଦ୍ୟୁତ୍‌ ଆଘାତରେ ଚାଷୀ ମୃତ

ରସୁଲପୁର: କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଚାଷୀ ବିନୋଦ ବିହାରୀ ସାହୁ(୬୮)ଙ୍କର ଆଜି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ବିନୋଦ ପୋଟଳ ତୋଳିବାକୁ ବିଲକୁ ଯାଉଥିଲେ। ତଳକୁ ଓହଳି ପଡ଼ିଥିବା ୧୧ କେ.ଭି. ବିଦ୍ୟୁତ୍‌ ତାର ତାଙ୍କ ମୁଣ୍ତରେ ଥିବା ଝାମ୍ପିରେ ଲାଗିଯାଇଥିଲା। ଅସାବଧାନତା ବଶତଃ ସେ ମୁଣ୍ଡରେ ହାତ ମାରିଦେବାରୁ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପଛରେ ଯାଉଥିବା ତାଙ୍କ ପୁଅ ବାପାଙ୍କୁ ବିଦ୍ୟୁତ୍‌ ତାର ଲାଗିଯିବା ଦେଖି ଲୋକଙ୍କୁ ଡାକ ପକାଇଥିଲେ।

ସେଠାରୁ ଉଦ୍ଧାର କରାଯାଇ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ୍‌ ବିଭାଗର ଅବହେଳା କାରଣରୁ ବିନୋଦଙ୍କର ମୃତ୍ୟୁ ହେଲାବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ସହକାରୀ ଯନ୍ତ୍ରୀ ସିତାଂଶୁ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିନୋଦଙ୍କ ଶେଷକୃତ୍ୟ ଓ କ୍ରିୟାକର୍ମ ପାଇଁ ୪୦ ହଜାର ଟଙ୍କା ପ୍ରଦାନ ଓ ଓହଳି ପଡ଼ିଥିବା ବିଦ୍ୟୁତ୍‌ ତାରକୁ ୧ ସପ୍ତାହ ମଧ୍ୟରେ ଠିକ୍‌ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପୁଲିସ ବହୁ ବିଳମ୍ବରେ ପହଞ୍ଚିବାରୁ ଅସନ୍ତୋଷ ଦେଖା ଦେଇଥିଲା। ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କୁଆଖିଆ ଥାନା କେସ୍‌ ନମ୍ବର ୨୦୭/୨୨ରେ ମାମଲା ରୁଜୁ କରି ଏସ୍‌ଆଇ ଭାଗବତ ମାହାଲି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର