ଯୁଯୁମୁରା : ହାତୀ ଆକ୍ରମଣରେ ଚାଷୀ ମୃତ

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗଡ଼ଲୋଇସିଂ ପଞ୍ଚାୟତ ଜୁନାପାଣିର ‌ଚାଷୀ ଜୋନାସ୍‌ ଗୁଡ଼ିଆ(୫୦)। ଗୁରୁବ‌ାର ସନ୍ଧ୍ୟାରେ ଯୁଯୁମୁରା ପୁଲିସ୍‌ ଓ ବନ ବିଭାଗର ଉପସ୍ଥିତିରେ ସଦର ରେଞ୍ଜ ବସିଆପଡ଼ା-ବୀରସିଂଗଡ଼ ସଂରକ୍ଷିତ ଜଙ୍ଗଲର ବାଣୀଝରନ୍‌ ନିକଟରୁ ଜୋନାସ୍‌ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତଦେହଟି ପଚି ଯାଇଥିବାରୁ ଏହା ଅତିକମ୍‌ରେ ୨ ଦିନ ତଳର ହୋଇଥିବା ଆଶଙ୍କା କରାଯାଉଛି। ତେବେ, ସନ୍ଧ୍ୟା ହୋଇଯିବା ସହ ଘଟଣାସ୍ଥଳରେ ହାତୀ ଉପସ୍ଥିତ ଥିବାରୁ ତଦନ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଜୋନାସ୍‌ ୨ ଦିନ ତଳେ ସେ ବୁର୍ଲାପଡ଼ାସ୍ଥିତ ଶ୍ବଶୂର ଘରକୁ ଚାଲିଚାଲି ଯାଉଥିଲେ। କିନ୍ତୁ ଏହା ପରଠାରୁ ଆଉ ସେ ଘରକୁ ଫେରିନଥି‌ଲେ। ଗୁରୁବାର ଦିନ ପ୍ରାୟ ୩ଟା ସମୟରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା କିଛି ଲୋକେ ଶବ ପଡ଼ିଥିବା ଦେଖିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ହାତୀର ପାଦ ଚିହ୍ନ ପଡ଼ିଥିବା ସହ ଜୋନାସ୍‌ଙ୍କ ଶରୀରରେ କ୍ଷତ ଚିହ୍ନ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର