ବନ୍ତଳା : ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲାବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହାତୀ ଆକ୍ରମଣରେ ଏହି ବସଲା ପଞ୍ଚାୟତରୁ ମାସକରେ ୨ ଜଣଙ୍କ ମୃତ୍ୟୁ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୁନାଭୂଇଁ ଗାଁର ଚାଷୀ ଦିବାକର ଆଜି ସକାଳ ପ୍ରାୟ ୬ଟା ବେଳକୁ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଜମିକୁ ଯାଇଥିଲେ। ହେଲେ ସେଠାରେ ହାତୀପଲ ଥିବା କଥା ସେ ଜାଣି ପାରି ନ ଥିଲେ। ଜମି ପାଖରେ ଠିଆ ହୋଇଥିବାବେଳେ ଏକ ହାତୀ ପଛରୁ ଆସି ଶୁଣ୍ଢରେ ତାଙ୍କୁ ବାଡ଼େଇ ଦେଇଥିଲା। ଫଳରେ ସେ ସେଠାରେ ଟଳି ପଡ଼ିଥିଲେ। ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ଘର ପାଖରେ ହାତୀ ଆକ୍ରମଣ କରି ଜଣଙ୍କୁ ମାରିଦେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫେବ୍ରୁଆରି ପହିଲାରେ ଏଇ ବସଲା ଗାଁର ସିଦ୍ଧେଶ୍ବର ସେଠୀ ନାଳକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ହାତୀ କଚାଡ଼ି ମାରି ଦେଇଥିଲା।