ଭୁବନେଶ୍ୱର : ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣଗ୍ରସ୍ତ। ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଓ ସରକାରଙ୍କଠାରୁ ଚାଷ ପାଇଁ ଋଣ ନେଇଛନ୍ତିି। କିନ୍ତୁ ଚାଷରୁ ଯେତିକି ଆୟ କରୁଛନ୍ତିି ସେଥିରୁ ପରିବାର ପ୍ରତିପୋଷଣ କରିବା ପରେ ଋଣ ପରିଶୋଧ କରିବାକୁ ନିଅଣ୍ଟ ହେଉଛି। ସେଥିପାଇଁ ଅନେକ ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଋଣବୋଝ ୯୨ ହଜାର କୋଟିରୁ ଅଧିକ ହେଲାଣି। ସରକାର ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଥିବା ବେଳେ ଜନସାଧାରଣଙ୍କ ପ୍ରକୃତ ସମସ୍ୟାର ସମାଧାନ ପାଇଁ ତିଳେମାତ୍ର ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତିି।
ଏକ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତିି, ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୫୪ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ପରିବାର ଋଣ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ସମବାୟ କିମ୍ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି। ଏହା ବାଦ୍ ଆଉ କିଛି ଚାଷୀ ସେମାନଙ୍କର ସଂପର୍କୀୟ, ବନ୍ଧୁବାନ୍ଧବ ଓ ସରକାରଙ୍କଠାରୁ ଋଣ ନେଇଛନ୍ତିି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଅର୍ଥ ପରିଶୋଧ କରିପାରୁନାହାନ୍ତି। ସାହୁକାରଙ୍କଠାରୁ ହାତଉଧାରି କରିଥିବା ଚାଷୀମାନେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଚାଷ ପାଇଁ ଉଚିତ ସମୟରେ ବିହନ, ସାର, କୀଟନାଶକ ମିଳୁନଥିବା ବେଳେ ଫସଲର ଉଚିତ ମୂଲ୍ୟ ବି ମିଳୁନାହିଁ। ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସେହି ଦ୍ରବ୍ୟ ସାଇତି ରଖିବାକୁ ଶୀତଳ ଭଣ୍ଡାର ବି ନାହିଁ।
ପିସିସି ସଭାପତି କହିଛନ୍ତି ଯେ ଏଭଳି ବିଭିନ୍ନ କାରଣରୁ ଗ୍ରାମାଞ୍ଚଳରେ ଅନେକ ଚାଷଜମି ପଡ଼ିଆ ପଡ଼ିଛି। ସେଥିପ୍ରତି ସରକାରଙ୍କ ନଜର ନାହିଁ। କେବଳ ଯୋଜନାମାନ ଘୋଷଣା କରି ଗଣମାଧ୍ୟମରେ ବିବୃତି ଦେଇ ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି। ରାଜ୍ୟର ଋଣବୋଝ ପ୍ରାୟ ୯୨ ହଜାର କୋଟିରେ ପହଞ୍ଚିଲାଣି। ଏହା ରାଜ୍ୟର ମୋଟି ଘରୋଇ ଉତ୍ପାଦନ(ଜିଏସ୍ଡିପି)ର ପାଖାପାଖି ୨୦.୭୩ ପ୍ରତିଶତ। ଏ ନେଇ ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ୨୦୦୯-୧୦ରେ ରାଜ୍ୟର ଋଣଭାର ୩୭୭୩୦ କୋଟି ଥିବା ବେଳେ ୨୦୧୪-୧୫ରେ ତାହା ୪୩୨୭୩ କୋଟିକୁ ବୃଦ୍ଧି ପାଇଥିଲା। ଏବେ ତାହା ୯୨ ହଜାର କୋଟିରେ ପହଞ୍ଚିଛି। ତଥାପି ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ପରିମାଣ ବୃଦ୍ଧି ପାଉଥିବା ବେଳେ ବିଜେଡି କିନ୍ତୁ ଭୋଟ ପାଇବାକୁ ରାଜ୍ୟର ସ୍ୱାର୍ଥ ବଳି ପକାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/fara.jpg)