ଦାଉ ସାଧୁଛି ପ୍ରକୃତି ଚାଷୀ ଛଟପଟ: ମରୁଡ଼ି, ପୋକ, ଏବେ ବର୍ଷା

ଭୁବନେଶ୍ୱର: ପ୍ରଥମେ ମରୁଡି, ତା ପରେ ଚକଡ଼ା ପୋକ ବରବାଦ କଲେ ଫସଲ। ଏବେ ଦାଉ ସାଜିଛି ଅଦିନିଆ ଲଘୁଚାପ ଜନିତ ବର୍ଷା। ବେଡି ଉପରେ କୋରଡା ମାଡ଼ ସଦୃଶ, ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ସରକାରଙ୍କ ବିଫଳତାକୁ ବଳିଯାଇଛି ପ୍ରକୃତିର ଯନ୍ତ୍ରଣା। ଏମିତି ଯେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ୧୫ଟି ଜିଲ୍ଲାରେ ଚାଷ ପ୍ରତି ଭୟଙ୍କର ବିପଦ ମାଡ଼ି ଆସିଛି। ହଜାର ହଜାର ଚାଷୀଙ୍କ ଜୀବନ ବାଜି ଲାଗିଛି। ଯେହେତୁ ପୁରୀ, ଖୋର୍ଧା, ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଛି ଏଣୁ ଏ ସବୁ ଜିଲ୍ଲାରେ କ୍ଷୟକ୍ଷତି ମଧ୍ୟ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏବେ ସୁଦ୍ଧା ହିସାବ କରାଯାଉଛି, ରାଜ୍ୟରେ ୧୦ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚାଷ ନଷ୍ଟ ଭ୍ରଷ୍ଟ ହୋଇଯାଇପାରେ। ପାଣିପାଗ ବିଭାଗ ପୂର୍ବାନୁମାନ ସତହେଲେ, ଆହୁରି ୩୬ ଘଣ୍ଟା ବର୍ଷା ହେବ। ଅର୍ଥାତ୍‌ କ୍ଷତିର ପରିମାଣ ବଢିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ।

ଲଗାଣ ବର୍ଷା ସାଙ୍ଗକୁ ୩୦ରୁ ୩୫ କିଲୋମିଟର ବେଗରେ ପବନ କାରଣରୁ ବିଲରେ ଧାନ ଗଛ ଶୋଇପଡିବା ଘଟଣା ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଛି। ଆସନ୍ତାକାଲି ପବନ ୫୫ କିଲୋମିଟର ବେଗ ଛୁଇଁପାରେ। ବିଭିନ୍ନ ଜିଲ୍ଲାରୁ ମିଳିଥିବା ଚିତ୍ର ଅନୁସାରେ, କିଛି ସ୍ଥାନରେ ଚାଷୀ ଧାନ କାଟି ଦେଇଛନ୍ତି, ଅଥଚ ଖଳାକୁ ଆଣିପାରି ନାହାନ୍ତି। ଆଉ କିଛି ଜିଲ୍ଲାରେ ଅମଳ ଅଧାପନ୍ତରିଆ ଅବସ୍ଥାରେ ରହିଛି ଓ ଆରମ୍ଭ ହୋଇଯାଇଛି ବର୍ଷା। ପଲିଥିନ୍‌ ଅଭାବରୁ ସେସବୁକୁ ଚାଷୀ ସେମିତି ଛାଡିଦେଇଛନ୍ତି। ହଜାର ହଜାର ହେକ୍ଟର ଜମିରେ ବର୍ଷା ପାଣି ଜମି ରହିଛି। ଏଭଳିସ୍ଥଳେ ବିଲରେ ବା ଖଳାରେ ଧାନ ଗଜା ହୋଇଯାଇପାରେ। କେବଳ ଧାନ ନୁହେଁ, ଚିନାବାଦାମ ଓ ପରିବା ଫସଲ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି।

ଘଟଣାର ଗମ୍ଭୀରତା ଉପଲବ୍ଧି କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ହେଲେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୋଲାପି ଚିତ୍ର ଦେଖାଇଛନ୍ତି। ଚାଷୀର ଚିନ୍ତାର ସାମାନ୍ୟ ଝଲକ ସେଠାରେ ଦେଖିବାକୁ ମିଳିନାହିଁ। ବର୍ତମାନ ସୁଦ୍ଧା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସେମାନେ କହିଛନ୍ତି।

ବୈଠକ ପରେ ସରକାରଙ୍କ ପକ୍ଷକୁ କୁହାଯାଇଛିି, ଫସଲ ଉପରେ ଅଦିନିଆ ବର୍ଷାର କି ପ୍ରଭାବ ପଡୁଛି, ତାହା ଉପରେ କୃଷି ବିଭାଗର ଅଧିକାରୀ ନଜର ରଖିବେ। ଅଧିକ ବର୍ଷା ହୋଇଥିବା ସ୍ଥାନକୁ କ୍ଷେତ୍ର କର୍ମଚାରୀଙ୍କୁ ପଠାଯାଇ ସ୍ଥିତି ଅନୁଧ୍ୟାନ କରାଯିବ। ଅନ୍ୟାନ୍ୟ ସ୍ଥାନରୁ ଅତିରିକ୍ତ ଟିମ ପଠାଇବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୁରୀ, ଖୋର୍ଧା, ନୟାଗଡ଼, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ଲକ୍ଷାଧିକ ହେକ୍ଟର ଜମିରେ ଫସଲ ଉଜ଼ାଡି ଦେଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିର ଚାଷ ପ୍ରତି ବିପଦ ସୃଷ୍ଟି ହୋଇଛି। ଅବିଭକ୍ତ କଟକ ଜିଲ୍ଲାରେ ପ୍ରାୟ ୩ଲକ୍ଷରୁ ଅଧିକ ହେକ୍ଟର ଜମିର ଫସଲ ବିପଦ ଘେରରେ ରହିଛି। ପୁରୀରେ ଜିଲ୍ଲାରେ ବି ସମାନ ପରିସ୍ଥିତି। ଆସନ୍ତାକାଲି ଆହୁରି ବର୍ଷିବ। ଏଣୁ ସ୍ଥିତି ଅଧିକ ଗମ୍ଭୀର ରୂପ ନେଇପାରେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଅଧିକାରୀମାନେ କହିଥିଲେ, ଅଦିନିଆ ବର୍ଷା କେବଳ ଉପକୂଳବର୍ତୀ ଜିଲ୍ଲାରେ ହୋଇଛି। ୨୦୧୭ ଖରିଫ ଋତୁରେ ୫୯.୯୩ ଲକ୍ଷ ହେକ୍ଟରରେ ଫସଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬.୨୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଅଦିନିଆ ବର୍ଷାକୁ ଲକ୍ଷ୍ୟ ରଖି ୧୨ ତାରିଖରୁ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସତର୍କ କରିଦିଆଯାଇଥିଲା। ଫସଲ ଯେମିତି ଗଜା ନ ହେବ, ସେଥିପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଫସଲ ଘୋଡାଇବା ପାଇଁ ଚାଷୀ ପାଖରେ ନାଁ ପଲିଥିନ୍‌ ଅଛି ନା ୪୮ ଘଣ୍ଟା ଭିତରେ ଓଦା ଫସଲକୁ ଖଳାକୁ ଅଣାଯାଇ ସୁରକ୍ଷିତ ଭାବେ ରଖାଯାଇପାରିବ। ଏ ନେଇ ଅଧିକାରୀମାନେ କିଛି ବି କହିନଥିଲେ। ଓଲଟା ମୁଖ୍ୟମନ୍ତ୍ରୀ ରବି ଫସଲ ପାଇଁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏପରିକି ଯେଉଁଠି ସମ୍ଭବ, ସେଠାରେ ଚାଷୀ ବିହନ ବୁଣା କାମ ଆରମ୍ଭ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଠାରେ ଉଲ୍ଲେଖଥାଉକି ଚଳିତବର୍ଷ ୧୦.୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଥିଲା। ହେଲେ ଏହା ପ୍ରଭାବରେ ଯେଉଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା, ତା କାରଣରୁ ରାଜ୍ୟର ୧୫ଟି ଜିଲ୍ଲା ଅନ୍ତର୍ଗତ ୭୦ ବ୍ଲକ ଓ ୧୧ ପୌରାଞ୍ଚଳରେ ୩ଲକ୍ଷ ୧୫ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ବରବାଦ ହୋଇଥିବା ସରକାରୀ ଭାବେ କୁହାଯାଇଥିିଲା। ସେହିଭଳି ପରବର୍ତୀ ସମୟରେ ଚକ଼ଡ଼ା ପୋକ ଯୋଗୁଁ ୨୪ଟି ଜିଲ୍ଲାର ୧୫୦ ବ୍ଲକ ଓ ୩୫ ପୌରାଞ୍ଚଳର ୧ଲକ୍ଷ ୨୮ ହଜାର ୩୧୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ଏବେ କିନ୍ତୁ ବର୍ଷା ଜନିତ ଫସଲ କ୍ଷତି ପରିମାଣ ଏସବୁ ବଳିଯାଇପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଫସଲ ଗଜା ହେବା ଆଶଙ୍କା ଥିବାରୁ ଧାନ ବିକ୍ରି କରିବା ବେଳେ ମଧ୍ୟ ଚାଷୀ ଏଫଏକ୍ୟୁ ମାନ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇନପାରେ।

 

ସମ୍ବନ୍ଧିତ ଖବର