କୃଷି ବିଭାଗ, ଡିଲର ଓ ପ୍ୟାକ୍ସର ଚକ୍ରବ୍ୟୁହରେ ଚାଷୀ: ବର୍ଷା ଆସିଲା, ଧାନ ବିହନ ପାଇଁ ଚାଷୀ ନାକେଦମ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମୌସୁମୀ ବର୍ଷା ଆସିବା ପରେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ତତ୍ପର ହୋଇଉଠିଛନ୍ତି। ହେଲେ ଧାନ ବିହନର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଡିଲର ଓ ପ୍ୟାକ୍ସର ଚକ୍ରବ୍ୟୁହ ଯୋଗୁ ଚାଷୀଙ୍କୁ ଆବଶ୍ୟକ ଧାନ ବିହନ ମିଳୁ ନଥିବା ବେଳେ ଚାହିଦା ନଥିବା ବିହନ ମହଜୁଦ ଥିବା ନେଇ ଚାଷୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୋକାନଗୁଡ଼ିକରେ ଚଢ଼ା ଦରରେ ଚାହିଦା ଥିବା ଧାନ ମିଳୁଥିବା ଯୋଗୁ ବିହନ ଧାନର ଅଭାବ ଚାଷୀଙ୍କୁ ବ୍ୟଥିତ କରିଛି। ପ୍ରତିବର୍ଷ ଡିଲର ଓ ପ୍ୟାକ୍ସ ମିଳିମିଶି ଚାଷୀଙ୍କୁ ଧାନ ବିହନ ପାଇଁ ଶୋଷଣ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ବର୍ତ୍ତମାନ ସବୁଠୁ ଅଧିକ ଚାହିଦା ଥିବା ସ୍ବର୍ଣ୍ଣା, ୧୦୦୧ ଓ ପୂଜା ଧାନ ଭଳି ଧାନ ବିହନ ମିଳୁ ନଥିବା ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। କଳାହାଣ୍ଡି ଜିଲ୍ଲାକୁ ଖଣ୍ଡଗିରି ଧାନ ବିହନ ୨୬୧.୪୦ କ୍ବିଣ୍ଟାଲ, ସହଭାଗୀ ୬୮ କ୍ବିଣ୍ଟାଲ, ଏମ୍‌ଟିୟୁ-୧୦୧୦ ଧାନ ୭୭୨.୪୦ କ୍ବିଣ୍ଟାଲ, ଏମ୍‌ଟିୟୁ ୧୦୦୧ ଧାନ ୭୪୦୬.୬୦ କ୍ବିଣ୍ଟାଲ, ଏମ୍‌ଟିୟୁ-୭୦୨୯ ଧାନ ୨୪୭୭.୬୦ କ୍ବିଣ୍ଟାଲ, ଲଲାଟ ୭୧୭ କ୍ବିଣ୍ଟାଲ, ସିଆର୍‌ ଧାନ ୩୦୭ ୪୮.୪୦ କ୍ବିଣ୍ଟାଲ, ଏସ୍‌ଏସ୍‌-୧ ୬୦୨.୮୦ କ୍ବିଣ୍ଟାଲ, ଏମ୍‌ଟିୟୁ -୧୧୫୩ ଧାନ ୪୩୪.୬୦ କ୍ବିଣ୍ଟାଲ, ଏମ୍‌ଟିୟୁ ୧୧୫୬ ଧାନ ୨୦୨୭ କ୍ବିଣ୍ଟାଲ, ପୂଜା ଧାନ ୩୪୯୨ କ୍ବିଣ୍ଟାଲ, ଏମ୍‌ଟିୟୁ ୧୨୧୦ ଧାନ ୩୩୯.୮୦ କ୍ବିଣ୍ଟାଲ, ଆର୍‌ଜିଏଲ୍‌-୨୫୩୭ ଧାନ ୩୦.୬୦ କ୍ବିଣ୍ଟାଲ, କଳାଚମ୍ପା ୧୩୧୮.୬୦ କ୍ବିଣ୍ଟାଲ, ବୀଣା-୧୧ ଧାନ ୨୦୦ କ୍ବିଣ୍ଟାଲ ଆସିଛି। ୧୫ ପ୍ରଜାତିର ୨୧୬୬୩.୨୦ କ୍ବିଣ୍ଟାଲ ଧାନ ବିହନ କଳାହାଣ୍ଡି ଜିଲ୍ଲାକୁ ଆସିଥିବା ବେଳେ ଡିଲରମାନଙ୍କୁ ୮୩୭୦.୪୦ କ୍ବିଣ୍ଟାଲ ଓ ପ୍ୟାକ୍ସକୁ ୫୩୩୮.୨୦ କ୍ବିଣ୍ଟାଲ ଧାନ ପ୍ରଦାନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୩୮୯୨.୨୦ କ୍ବିଣ୍ଟାଲ ଧାନ ବିକ୍ରି ହୋଇଥିବା ବେଳେ ୧୧୯୬ କ୍ବିଣ୍ଟାଲ ଧାନ ମହଜୁଦ ରହିଛି। ଜିଲ୍ଲାରେ ଚାହିଦା ଥିବା ୧୦୦୧ କିସମ ବିହନ ଧାନ ମାତ୍ର ୧୨୮.୫୦ କ୍ବିଣ୍ଟାଲ ମହଜୁଦ ରହିଛି। ଅନ୍ୟପକ୍ଷରେ ପୂଜା ଧାନ ଓ ସ୍ବର୍ଣ୍ଣା ଏମ୍‌ଟିୟୁ ୭୦୨୯ ଆଦୌ ନାହିଁ।

ଜିଲ୍ଲାକୁ ଆସିଛି ୮୩୭୦ କ୍ବିଣ୍ଟାଲ, ମହଜୁଦ ଅଛି ୧୧୯୬ କ୍ବିଣ୍ଟାଲ
ଚାହିଦା ଥିବା ୧୦୦୧, ସ୍ବର୍ଣ୍ଣା ଓ ପୂଜା ଧାନ ବିହନ ଅଭାବ

The Financial Express

କଳାହାଣ୍ଡି ଜିଲ୍ଲାକୁ ସବୁ‌ବେଳେ ନୂଆ ଧାନ ଆସିଲେ ଏହାର ପ୍ରୟୋଗ ପାଇଁ ପଠା ଯାଇଥାଏ। ଜିଲ୍ଲାର ଭୌଗୋଳିକ ପରିସ୍ଥିତି ଓ ଜଳସେଚନର ଅବସ୍ଥିତିକୁ ନେଇ ଆବଶ୍ୟକ ହେଉଥିବା ଧାନ ବିହନ ଜିଲ୍ଲାକୁ ପ୍ରଦାନ ନକରି ଚାଷୀଙ୍କ ଚାହିଦା ନଥିବା ଧାନ ଜବରଦସ୍ତି ଜିଲ୍ଲାକୁ ଆସୁଥିବା ଯୋଗୁ ଅସନ୍ତୋଷ ବୃଦ୍ଧିପାଇଲାଣି। କେବଳ ସେତିକି ନୁହେଁ, ଓଡ଼ିଶା ବିହନ ନିଗମରୁ ଡିଲରମାନଙ୍କୁ ଦିଆଯାଉଥିବା ଧାନ ଚଢ଼ା ଦରରେ ବିକ୍ରି ହେଉଛି ଓ ଜାଣିଶୁଣି ଅଭାବ ସୃଷ୍ଟି କରାଯାଉଛି। ପ୍ୟାକ୍ସ ଓ ଘରୋଇ ଡିଲରମାନେ ଆବଶ୍ୟକ ମୁତାବକ ବିହନ ନିମନ୍ତେ ଟଙ୍କା ଜମା କରୁ ନଥିବାରୁ ବିହନ ଯୋଗାଣରେ ବିଳମ୍ବ ହେଉଛି। ଅନ୍ୟପକ୍ଷରେ ଘରୋଇ ଡିଲରମାନଙ୍କ ଚକ୍ରବ୍ୟୂହ ଯୋଗୁ ସେମାନେ ବିହନ ଯୋଗାଣ ନେଇ କୃତ୍ରିମ ଅଭାବ ‌ସୃଷ୍ଟି କରି ଏହାର ଫାଇଦା ଉଠାଉଛନ୍ତି। ପ୍ୟାକ୍ସମାନେ ଠିକ ସମୟରେ ବିହନ ପ୍ରଦାନ କରୁନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଘରୋଇ ଡିଲରଙ୍କଠାରୁ ଚଢ଼ା ଦରରେ ଧାନ ବିହନ କିଣୁଛନ୍ତି। ଡିଲରଙ୍କ ଷ୍ଟକ୍‌ ଯାଞ୍ଚ ମଧ୍ୟ କରାଯାଉନାହିଁ।

ଉଲ୍ଲେଖଥାଉକି, ଚାଷୀଙ୍କୁ ଆବଶ୍ୟକ ହେଉଥିବା ୧୩୫ ଦିନିଆ ଧାନ ପରିବର୍ତ୍ତେ କର୍ତ୍ତୃପକ୍ଷ ଜବରଦସ୍ତି ୧୪୫ରୁ ୧୫୫ ଦିନିଆ ଧାନ ବିହନ ମହଜୁଦ ରଖୁଛନ୍ତି। ସେହିଭଳି ଚାଷୀଙ୍କ ଧାନ ବିହନ ସବ୍‌ସିଡିରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଛି। ‌ଜୁନ୍‌ ୧୫ ତାରିଖ ମଧ୍ୟରେ ଚାହିଦା ଥିବା ଧାନ ମିଳୁ ନଥିବା ଯୋଗୁ ଚାଷ କାର୍ଯ୍ୟରେ ମଧ୍ୟ ବିଳମ୍ବ ଦେଖାଦେଉଛି। ରାଜ୍ୟ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର