ନୂଆପଡ଼ା ଜିଲ୍ଲାରେ ବିହନ ଅଭାବ, ଜିଲ୍ଲାର ୨୬ ଟି କୃଷିସେବା ସମବାୟ ସଂସ୍ଥାକୁ ପହଞ୍ଚି ନାହିଁ ବିହନ

ନୂଆପଡ଼ା: ଆଉ ୨ ଦିନ ପରେ ଚାଷୀଙ୍କ ପର୍ବ ଅକ୍ଷୟ ତୃତୀୟା | ଏହି ଦିନଠାରୁ ଚାଷୀମାନେ ଚାଷ କାମ ଆରମ୍ଭ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାରେ ୨୬ଟି କୃଷିସେବା ସମବାୟ ସଂସ୍ଥାକୁ ପହଞ୍ଚି ପାରିନାହିଁ ବିହନ। ଯାହାଫଳରେ ଚାଷୀମାନଙ୍କ ମଧ୍ୟରେ ବିହନ ପାଇଁ ଚିନ୍ତା ବଢ଼ିଚାଲିଛି। ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଖରିଫ ଚାଷରେ ୧ଲକ୍ଷ ୯୦ ହଜାର ୧୦୦ ହେକ୍ଟର ଚାଷ ପାଇଁ ଧାର୍ଯ୍ୟ ରହିଥାଏ। ଏଥିରୁ ଧାନ ଚାଷ ୯୪ ହଜାର ୫୦୦ ହେକ୍ଟରରେ ଚାଷ ହେବା ସହ ୯୫ ହଜାର ୬୦୦ ହେକ୍ଟରରେ ଅନ୍ୟ ଚାଷ ହୋଇଥାଏ ।

ନୂଆପଡ଼ା କୃଷି ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ପାଇଁ ୧୮ହଜାର କ୍ୱିଣ୍ଟାଲ ବିହନ ଟା‌ର୍ଗେଟ ଥିବାବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନଠାରେ ମାତ୍ର ୮ହଜାର ୮୫୨ କ୍ୱିଣ୍ଟାଲ ବିହନ ଜିଲ୍ଲା ବିହନ ଉତ୍ପାଦନ କେନ୍ଦ୍ରରେ ରହିଛି। ଜିଲ୍ଲାରେ ବର୍ତ୍ତମାନ ଏମଟିୟୁ ସ୍ବର୍ଣ୍ଣ ୭୦୨୯ ବିହନ ୨୪୬୦ କ୍ବିଣ୍ଟାଲ,୧୦୧୦ ବିହନ ୧୪୭୩ କ୍ୱିଣ୍ଟାଲ,ପୂଜା ବିହନ ୧୧୭୩ କ୍ୱିଣ୍ଟାଲ, ୧୦୦୧ ବିହନ ୧୪୭୩ କ୍ୱିଣ୍ଟାଲ, ବୀଣା ବିହନ୧୧୩୨ କ୍ୱିଣ୍ଟାଲ, ଲଲାଟ ବିହନ ୯୨୪ କ୍ୱିଣ୍ଟାଲ ବିହନ ଜିଲ୍ଲା ବିହନ ଉତ୍ପାଦନ କେନ୍ଦ୍ରରେ ରହିଛି।

କିନ୍ତୁ ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୨୬ଟି କୃଷିସେବା ସମବାୟ ସଂସ୍ଥାକୁ ପହଞ୍ଚି ପାରି ନାହିଁ। ଯାହାଫଳରେ ଚାଷୀମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ନୂଆପଡ଼ା ଡିଡିଏ ଜାହାଦ ମହମ୍ମଦଙ୍କୁ ପଚାରିବାରୁ ସେ କହିଥିଲେ ସମବାୟ ସଂସ୍ଥା ଟଙ୍କା ଦେଇନାହାଁନ୍ତି ସେଥିପାଇଁ ଵିହନ ଯାଇ ନାହିଁ। ଅକ୍ଷୟ ତୃତୀୟା ପରେ ୨୬ଟି ସଂସ୍ଥାକୁ ବିହନ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର