ଚାଷୀ ଆୟ ଦୁଇଗୁଣା ପ୍ରହେଳିକା

୨୦୧୯ ପୁରୁଣା ଲକ୍ଷ୍ୟ ହାସଲ ହୋଇନି, ଲକ୍ଷେ ଚାଷୀଙ୍କ ଆୟ ୨ ଗୁଣା ପାଇଁ ଅଣ୍ଟା ଭିଡ଼ିଛି କୃଷି ବିଭାଗ

ଭୁବନେଶ୍ବର : ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା। ଅର୍ଥାତ ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରିଠାରୁ ମଧ୍ୟ କମ୍‌। ସମଗ୍ର ଦେଶରେ ଝାଡ଼ଖଣ୍ଡ ପରେ ଓଡ଼ିଶା ଚାଷୀଙ୍କ ଆୟ ସର୍ବନିମ୍ନ ଅଟେ। କିଛିମାସ ପୂର୍ବରୁ ଓଡ଼ିଶା ଚାଷୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଏଭଳି ରିପୋର୍ଟ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହା ଭିତରେ ଆଉ ଗୋଟିଏ ବଡ଼କଥା ସାମ୍ନାକୁ ଆସିଛି। ସବୁ ଚାଷୀଙ୍କୁ ନୁହେଁ ବରଂ ୨୦୧୯ ମସିହାରେ ୨୦ ହଜାର ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ସେ ଉଦ୍ଦେଶ୍ୟ ଏଯାଏ ପୂରଣ ହୋଇନାହିଁ। ସରକାର କିନ୍ତୁ ଆଉପାଦେ ଆଗକୁ ଯାଇ ଚଳିତ ବର୍ଷ ୧ ଲକ୍ଷ ଚାଷୀଙ୍କ ଆୟ ଦୁଇ ଗୁଣ ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୫-ଟି ଅନ୍ତର୍ଗତରେ ନୂତନ କମିଟି ଗଠନ ହୋଇଛି। ଏପିକଲ୍‌ ଏମ୍‌ଡିଙ୍କ ଆବାହକତ୍ବରେ ଗଠିତ କମିଟିରେ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦେଶକଙ୍କୁ ସାମିଲ କରାଯାଇଛି। ଯେପର୍ଯ୍ୟନ୍ତ ଚାଷୀଙ୍କୁ ଋଣଠାରୁ ଆରମ୍ଭ କରି ବିକ୍ରି ମୂଲ୍ୟ ଠିକ୍‌ରେ ମିଳିବ ନାହିଁ, ଯୁଗ ଉପଯୋଗୀ ପ୍ରଶିକ୍ଷଣ ମିଳିବ ନାହିଁ, ସେପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ହେବ ନାହିଁ ବୋଲି କହିଛନ୍ତି ଓୟୁଏଟି ଡିନ୍‌ (ସମ୍ପ୍ରସାରଣ) ପ୍ରସନ୍ନଜିତ ମିଶ୍ର।

୨୦୧୬ ମସିହାରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ। ଏସଂକ୍ରାନ୍ତରେ କମିଟି ଗଠନ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟରେ ବି ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେବେ ରାଜ୍ୟ ସରକାରଙ୍କ ନିର୍ଦେଶରେ ଓୟୁଏଟି ଚାଷୀଙ୍କ ଆୟ ଦୁଇ ଗୁଣ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତାବ ରଖିଥିଲା। ଏଥିରେ ପ୍ରମୁଖ କଥା ଥିଲା ଯେ ସମନ୍ବିତ କୃଷି ପଦ୍ଧତି କାର୍ଯ୍ୟକାରୀ କରିବା। ଅର୍ଥାତ୍‌ ଚାଷୀ ଗୋଟିଏ ପ୍ରକାର ଚାଷ ନକରି ଏକାଧିକ ଚାଷକୁ ଆପଣେଇବା ପାଇଁ ଓୟୁଏଟି ପରାମର୍ଶ ଦେଇଥିଲା।

Agriculture Post

ଉଦାହରଣ ସ୍ବରୂପ ଧାନ ଚାଷୀ ଧାନ ସହିତ ପରିବା ଚାଷ, କୁକୁଡ଼ା ପାଳନ, ବତକ ପାଳନ କରିପାରିବେ। ଦୁଗ୍ଧ ଚାଷୀ ହୋଇଥିଲେ ଦୁଗ୍ଧ ଉତ୍ପାଦନ ସହିତ ଛେନା, ପନିର ତିଆରି କରିବେ। ପରିବା ଚାଷୀ ହୋଇଥିଲେ ଟମାଟୋ ସସ୍‌ କରି ବିକ୍ରି କରିବା ସମେତ ବିଭିନ୍ନ ପ୍ରକାର ମୂଲ୍ୟ ଯୁକ୍ତ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏଥିସହିତ କ୍ଷେତ ପୋଖରୀ ଯୋଜନାକୁ କାର୍ଯ୍ୟକାରୀ, ଉତ୍ପାଦିତ ସାମଗ୍ରୀର ବଜାର, ଚାଷୀଙ୍କୁ କୃଷି ଉଦ୍ୟୋଗୀ ଏବଂ କ୍ଷୁଦ୍ର, ଭୂମିହୀନ ଚାଷୀଙ୍କ ଆୟ ଦୁଇ ଗୁଣ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପ୍ରସ୍ତାବ ଓୟୁଏଟି ପକ୍ଷରୁ ଦିଆଯାଇଥିଲା। ସେବେ ଚାଷୀ ଗ୍ରୁପ୍‌ ଗଠନ କରି ବିକ୍ରି କରିବା ପାଇଁ କୁହାଯାଇଥିଲା। ଏହି ପ୍ରକ୍ରିୟାରେ ମହିଳା ଚାଷୀଙ୍କୁ ସାମିଲ ସହିତ ଧାନ ଚାଷୀଙ୍କୁ ଅଣଧାନ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଥିଲା। କୃଷି ବିଭାଗ ଦାବି କରୁଛି ଯେ ଏସବୁ କାର୍ଯ୍ୟକ୍ରମ ଜାରି ରହିଛି।

ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ପର୍ଯ୍ୟନ୍ତ ୨୦୧୯ ମସିହାର ଧାର୍ଯ୍ୟ ଲକ୍ଷ୍ୟ ସରକାର ପୂରଣ କରିପାରି ନାହାନ୍ତି। ବରଂ ସ୍ଥିତି ଏଭଳି ହୋଇଛି ଯେ ଜଣେ ଅଣକୁଶଳୀ ଶ୍ରମିକଙ୍କଠାରୁ ଚାଷୀଙ୍କ ସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ିଛି। ମାର୍କେଟିଂ ଯାହା ଓଡ଼ିଶା ଚାଷୀଙ୍କ ସବୁଠାରୁ ବଡ଼ ସମସ୍ୟା, ତାକୁ ଚଳିତ ବର୍ଷ ପ୍ରଥମ କରି ଆୟ ଦୁଇ ଗୁଣ ଯୋଜନାରେ ସାମିଲ କରାଗଲା।

kaliaportal.odisha.gov.in

କୃଷକ ପୋର୍ଟାଲରେ କରାଯାଉଥିବା ପଞ୍ଜୀକରଣ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୫୦ ଲକ୍ଷ ଚାଷୀ ପରିବାର ପଞ୍ଜୀକୃତ ହୋଇ ସାରିଛନ୍ତି। ଯାହାକି ଗ୍ରାମାଞ୍ଚଳର ସମୁଦାୟ ପରିବାର ସଂଖ୍ୟାର ପ୍ରାୟ ୫୯ ପ୍ରତିଶତ। ଜୁଲାଇ ମାସ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଜାରି ରହୁଥିବାରୁ ଚାଷୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ହେଲେ ଏତେ ସଂଖ୍ୟକ ଚାଷୀଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ଚାଷୀଙ୍କ ଆୟ ଦୁଇ ଗୁଣ ପାଇଁ ବର୍ତ୍ତମାନ ଚିହ୍ନଟ କରାଯାଉଛି। ୨୦୨୩ ମସିହାରେ ଏହି ପ୍ରକ୍ରିୟା ସରିବା ପରେ ୨୦୨୪ କିମ୍ବା ୨୦୨୫ ମସିହାରେ ୧ ଲକ୍ଷ ଚାଷୀଙ୍କ ଆୟ ଦୁଇ ଗୁଣ ହେବ। ବାକି ଚାଷୀଙ୍କ ଆୟ କେତେ ବର୍ଷରେ ଦୁଇ ଗୁଣ ହେବ, ଏହାକୁ ନେଇ ଓୟୁଏଟି କିମ୍ବା କୃଷି ବିଭାଗ କେହି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଏଣେ କେନ୍ଦ୍ର ସରକାରଙ୍କ ୨୦୨୨ ମସିହା ଟାର୍ଗେଟ୍‌ ଅତିକ୍ରାନ୍ତ ହୋଇସାରିଛି। ବିଶେଷଜ୍ଞଙ୍କ ପ୍ରଶ୍ନ ହେଲା, ବର୍ତ୍ତମାନ ରାଜ୍ୟରେ ଚାଷୀଙ୍କ ହାରାହାରି ଆୟ ୫୧୧୨ ହିସାବ କରାଗଲେ, ଦୁଇ ଗୁଣ ଅର୍ଥାତ ରାଜ୍ୟର ଚାଷୀଙ୍କ ହାରାହାରି ଆୟକୁ ସରକାର ୧୦ ହଜାର କରିବେ। ତାହା ମଧ୍ୟ କେତେ ଦିନରେ ପୂରଣ ହେବ ଜଣାନାହିଁ। ଏଭଳି ସ୍ଥିତିରେ ଓଡ଼ିଆ ଚାଷୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଠାରେ ଉଲ୍ଲେଖଥାଉକି, ୧୯୭୦ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ୫୧ ବର୍ଷ ମଧ୍ୟରେ ୪୩ ବର୍ଷ ଧରି ଓଡ଼ିଶା ଚାଷୀ ମରୁଡ଼ି, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ତା’ର ସମାଧାନ ପାଇଁ ଜଳବାୟୁ ସହଣି କୃଷି ନୀତି ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଓୟୁଏଟି ଡିନ୍‌ (ସମ୍ପ୍ରସାରଣ) ଶ୍ରୀ ମିଶ୍ର କହିଛନ୍ତି, କିଛି ଚାଷୀଙ୍କ ଆୟ ଅନେକ ଗୁଣ ବୃଦ୍ଧି ହୋଇଛି। ଅନ୍ୟ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ଯୋଜନା ସମସ୍ତଙ୍କ ପାଖକୁ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିସହିତ ଠିକ୍‌ ସମୟରେ କୃଷି ଋଣ, ସାର, କୀଟନାଶକ, ଅଚଳ ଶୀତଳଭଣ୍ଡାର ସଚଳ କରିବା, ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ଏବଂ ଆଧୁନିକ ଚାଷ ପ୍ରଣାଳୀର ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର