ଭୁବନେଶ୍ବର: ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ୧ ଲକ୍ଷ ଚାଷୀଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଏପ୍ରିଲ୍ ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ହିତାଧିକାରୀ ଚୟନ କ୍ଷେତ୍ରରେ ସମ୍ବେଦନଶୀଳ କୃଷକ ପରିବାର ଓ ମହିଳା କୃଷକଙ୍କୁ ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଛନ୍ତି। କୃଷି ଭବନଠାରେ ଆୟୋଜିତ ବୈଠକରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ୨୦୨୩-୨୪ ବର୍ଷର କାର୍ଯ୍ୟଖସଡ଼ାର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ସମନ୍ୱିତ କୃଷି, ମିଲେଟ୍ ମିସନ, ଫସଲର ବିବିଧିକରଣ ସମେତ ମତ୍ସ୍ୟ ଓ ପ୍ରାଣୀପାଳନ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିହେବ। କୃଷକଙ୍କ ଆୟ ବୃଦ୍ଧି କରିବା ଦିଗରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ଏକ ଉପଯୋଗୀ ପଦକ୍ଷେପ।
ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଂପୃକ୍ତ ନିର୍ଦ୍ଦେଶକମାନଙ୍କୁ ନେଇ ପ୍ରତି ମାସରେ ସମନ୍ୱୟ ବୈଠକ କରି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଉଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ମଧ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମନ୍ୱୟ ବୈଠକ କରିବା ସହିତ ପ୍ରତ୍ୟେକ ବ୍ଲକ୍ରେ ଦୁଇ ଜଣ ମାଷ୍ଟର ଟ୍ରେନର୍ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟସ୍ତରୀୟ କମିଟି ସମତେ ଜିଲ୍ଲା ଓ ବ୍ଲକ୍ ସ୍ତରରେ କମିଟି ଗଠନ କରାଯାଇଛି। ରାଜ୍ୟର ସମସ୍ତ ୩୧୪ ବ୍ଲକ୍ରେ ଏହା କାର୍ଯ୍ୟକାରୀ ହେଉଛି। ହିତାଧିକାରୀଙ୍କ ତାଲିକା ଓ ଆନୁଷଙ୍ଗିକ ତଥ୍ୟ ବିଭାଗୀୟ ୱେବ୍ସାଇଟ୍ରେ ମେ ୧୫ ତାରିଖ ସୁଦ୍ଧା ଅପ୍ଲୋଡ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକ ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା, ସିଡିଭିଓ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।