ବେଲଗୁଣ୍ଠା: ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅଧୀନ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ(୪୫) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ଫାଶରେ ପଡ଼ି ଗୁରୁତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଶିବରାମଙ୍କ ପୁଅ ଶୁଭମଙ୍କ ଏତଲା ପ୍ରକାରେ ଗାଙ୍ଗପୁର ପୁଲିସ କେସ୍ ନମ୍ବର ୬୫୩ରେ ବିଞ୍ଝଗିରି ଗ୍ରାମର ଫକୀର ଗୌଡ଼କୁ ଗିରଫ କରିବା ସହ ବିଦ୍ୟୁତ୍ ତାର ଜବତ କରିଛି। ଘଟଣାରେ ଆହୁରି ୨-୩ ଜଣ ସାମିଲ ଥିବା ବେଳେ ସେମାନଙ୍କୁ ଖୋଜା ଚାଲିଥିବା ସେକେଣ୍ଡ୍ ଅଫିସର ସୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି।

Advertisment

ଗତ ଶୁକ୍ରବାର ରାତି ୯ଟା ସମୟରେ ଶିବରାମ ଓ ସ୍ଥାନୀୟ କୁମୁଣ୍ଡିର ଶ୍ରୀକର ବିଷୋୟୀ ବିଞ୍ଝଗିରି ଶିବମନ୍ଦିର ନିକଟରେ ଥିବା ଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିଲେ। ସେମାନେ ଜମିରୁ ଫେରିବା ସମୟରେ ରାସ୍ତାରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଶିବରାମ ଆସି ଯିବାରୁ ଗୁରୁତର ହୋଇଥିଲେ। ଶ୍ରୀକର ସ୍ଥାନୀୟ ଲୋକଙ୍କ ସହାୟତାରେ ଶିବରାମଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେଠାରୁ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବିଞ୍ଝଗିରି ଅଞ୍ଚଳରେ ବିଭିନ୍ନ ବନ୍ୟଜନ୍ତୁ ବିଚରଣ କରୁଥିବାରୁ ଶିକାରୀମାନେ ବେଆଇନ ଭାବେ ବିଦ୍ୟୁତ୍ ଫାଶ ବସାଇ ସେମାନଙ୍କୁ ଶିକାର କରୁଛନ୍ତି। ଫଳରେ ଏହି ଅଞ୍ଚଳର ଚାଷୀ ନିଜକୁ ସୁରକ୍ଷିତ ମଣୁନଥିବା ଜଣାପଡ଼ିଛି। ଏହା ଉପରେ ଚଢ଼ଉ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।