ପାଇକମାଳରେ ଜନ୍ତୁ ଆତଙ୍କ ଜାରି, ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ପାଇକମାଳ :  ପାଇକମାଳ ବ୍ଲକ ନୃସିଂହନାଥ ଓ ପାଇକମାଲ ରେଞ୍ଜ ଅଂଚଳରେ ପ୍ରାୟ ମାସେ ହେଲା ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇ ସପ୍ତାହ ହେଲା ନୃସିଂହନାଥ, ଜର୍ଜଗଡ଼ ଅଂଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ।

କିଛି ଦିନ ତଳେ ଦୁଇଟି ଦନ୍ତା ହାତୀ ଜାମସେଠ୍‌ ଅଂଚଳରେ ଦୁଇ ଦିନ ଧରି ତାଣ୍ଡବ ରଚିବା ପରେ ଗନ୍ଧମାର୍ଦ୍ଦନ ପର୍ବତକୁ ଫେରି ଯାଇଥିଲେ । ଛତରବେହେର, ଖଣ୍ତିଝରଣ, ରଣଜିତପୁର ଗାଁରେ  ଫସଲ ନଷ୍ଟ କରିଥିବା ବେଳେ ରବିବାର ପୁଣି  ପାଇକମାଳ ମିଠାପାଲି ପଞ୍ଚାୟତର ବିକ୍ରମନଗର, ମୁନିକେଳ ଠାରେ ହାତୀ ରହିଥିବା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟାରେ  କଲରାପତରିଆ ବାଘ  ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖରେ ଏକ ବାଛୁରୀକୁ ଆକ୍ରମଣ କରିଥିଲା। ବାଘଟି ଗତକିଛି ଦିନ ହେଲା ଜର୍ଜଗଡ଼ ଗ୍ରାମର ବିଭିନ୍ନ ଗୃହପାଳିତ ପଶୁର ଶିକାର କରିଛି ।

ହାତୀ ଓ ବାଘର ଆତଙ୍କରେ ଲୋକେ ଥିବାବେଳେ ବରତୁଣ୍ତା ପଞ୍ଚାୟତ ମର୍ଜ୍ୟାଦାପାଲି ଗ୍ରାମର ମେଘ ବରିହା (୫୨)ଙ୍କୁ ଭାଲୁ ଆକ୍ରମଣ କରିଛି। ନିଜ ଧାନ କ୍ଷେତକୁ ଯାଇଥିବା ବେଳେ ଜଙ୍ଗଲ ମଧ୍ୟରୁ ଦୁଇଟି ଛୁଆ ଭାଲୁ ଓ ମା’ ଭାଲୁ ମେଘକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି । ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ତାଙ୍କୁ ଆହତ ଅବସ୍ଥାରେ ଘରକୁ ଆଣିଥିଲେ। ନୂଆପଡ଼ା ଡାକ୍ତରଖାନରେ ତାଙ୍କ ଚିକିତ୍ସା ଚାଲିଛି। ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଉପରେ ବିଭାଗ ନଜର ରଖିଛି ବୋଲି ନୃସିଂହନାଥ ଫରେଷ୍ଟ ରେଞ୍ଜର ଗିରିଧାରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର