ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଧାନ ଛଡ଼ା ଅନ୍ୟ ଚାଷ  ପାଇଁ ଅନୁକୂଳ ପରିବେଶ ରହିଛି। ଅନେକ ଚାଷୀ ବିଭିନ୍ନ ରକମର ଚାଷ ମଧ୍ୟ କରୁଛନ୍ତି। କିନ୍ତୁ ଶୀତଳ ଭଣ୍ତାର ନଥିବାରୁ ବଳକା ହୋଇ ପଚା ହୋଇଗଲେ ବାଧ୍ୟହୋଇ ଫୋପାଡ଼ୁଛନ୍ତି। ଉଦ୍ୟାନ ବିଭାଗ ଦ୍ବାରା ପରିଚାଳିତ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ତାର ୨୦ ବର୍ଷ ହେଲା ବନ୍ଦ ହୋଇଯାଇଛି ଏବ˚ ବେସରକାରୀ ଭାବେ ନିର୍ମାଣ ହେଉଥିବା ଶୀତଳ ଭଣ୍ତାର କାମ ଅଧାରୁ ବନ୍ଦ ରହିଛି। ଏଣୁ, ଶୀତଳ ଭଣ୍ଡାରର ଆବଶ୍ୟକତା ଉପରେ ବାରମ୍ବାର ଦାବି ସତ୍ତ୍ବେ ଗୁରୁତ୍ବ ଦିଆଯାଉନାହିଁ। ରାୟଗଡ ବ୍ଲକରେ କପା ଏବ˚ କମଳା ଚାଷ ପ୍ରଚୁର ପରିମାଣରେ ହେଉଥିବା ବେଳେ ମୋହନା ବ୍ଲକରେ ମକାଚାଷ, ଗୁମ୍ମା ବ୍ଲକରେ କାଜୁ ଚାଷ, କାଶୀନଗର ବ୍ଲକରେ ଫଳ ପରିବା ଚାଷ, ଗୋଷାଣୀ ବ୍ଲକରେ ପନିପରିବା ଚାଷ ଜାରିରହିଛି।
Advertisment
ଗତ କିଛିବର୍ଷ ହେଲା  ଅନେକ ଚାଷୀ ଧାନଚାଷକୁ ବାଦ ଦେଇ ଅନ୍ୟ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ କୃଷି ଏବ˚ ଉଦ୍ୟାନ ବିଭାଗର ପ୍ରଚେଷ୍ଟାରେ ବିଭିନ୍ନ ରକମର ଚାଷ କରିବା ପାଇଁ ଆଗକୁ ଆସିଥିବା ସୂଚନା ମିଳିଛି। ତେବେ, ଜିଲ୍ଲାରେ ଶୀତଳ ଭଣ୍ତାର ନଥିବା ଯୋଗୁଁ ଏହି ଚାଷୀମାନେ ବାଧ୍ୟ ହୋଇ ଉତ୍ପାଦନ ସମୟର ବଜାର ଦରରେ ସାମଗ୍ରୀ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଜିଲ୍ଲାର ଜଣାଶୁଣା ଅଗ୍ରଣୀ ଚାଷୀ ଇ˚ଜିନିୟର ଏମ୍‌.ସି ରାଓ  ଅନ୍ୟଚାଷ (ଅଲ୍‌ଟ୍ରେର୍ନେଟ ଫାର୍ମିଙ୍ଗ) ବିଷୟରେ ଅନେକ ତଥ୍ୟ ଦେଇ କହିଥିଲେ ଯେ ଚାଷୀ ମାନେ ଉଦ୍ୟାନଭିତ୍ତିକ ଚାଷ କଲେ ସେଗୁଡ଼ିକୁ ଶୀତଳ ଭଣ୍ତାରରେ ରଖିବାର ବ୍ୟବସ୍ଥା ହେଲେ ହିଁ ସେ ଏହାର ପ୍ରକୃତ ମୂଲ୍ୟ ପାଇପାରିବ। ସରକାରୀ କିମ୍ବା ବେସରକାରୀ  ଶୀତଳ ଭଣ୍ତାର ନିର୍ମାଣର ନିଷ୍ପତ୍ତି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଶ୍ରୀ ରାଓ କହିଛନ୍ତି ଯେ ତାଙ୍କର ନିଜ ବଗିଚାରେ ୪୦୦ ପିଜୁଳି ଗଛ, ୬୦୦ ଆମ୍ବ ଗଛ ସହ ପ୍ରତିବର୍ଷ ସେ ସପୁରୀ ଓ ହଳଦୀ ଚାରା ରୋପଣ କରନ୍ତି। ଶୀତ ଦିନରେ ପିଜୁଳି ଉତ୍ପାଦନ ହେଉଥିବା ବେଳେ ଖରାଦିନ ପୂର୍ବରୁ ଆମ୍ବ ଉତ୍ପାଦନ ହୁଏ । ଏହି ଫଳ ତୋଳିବା ମାତ୍ରେ ସେ ବିକ୍ରୟ କରିବା ପାଇଁ ବାଧ୍ୟ।  କାରଣ ଜିଲ୍ଲାରେ ଏହାକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ତାରର ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର କାରିମନଗର ଠାରୁ ଆରମ୍ଭ କରି ଶ୍ରୀକାକୁଲମ ଜିଲ୍ଲା ପର୍ଯ୍ୟନ୍ତ ସବୁଠି ସରକାରୀ ଏବ˚ ବେସରକାରୀ ଶୀତଳ ଭଣ୍ତାର ନିର୍ମାଣ ହୋଇଛି । ଏହି କାରଣରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକ ପରିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରନ୍ତି । ଏହି ଚାଷ ବିଷୟରେ ଜିଲ୍ଲାର କିଛି ଧାନ ଚାଷ କରୁଥିବା ଚାଷୀ ମାନଙ୍କ ସହ ଆଲୋଚନା ବେଳେ ସେମାନେ ମଧ୍ୟ ମତ ରଖିଥିଲେ ଯେ ଶୀତଳ ଭଣ୍ତାର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଫଳ ପରିବା ଉତ୍ପାଦନ ପାଇଁ ଉତ୍ସାହ ପ୍ରକାଶ କରିବେନି ।