ଧାମନଗର/ଦୋବଲ : କ୍ଷେତରୁ ବାରମ୍ବାର ପରିବା ଚୋରି ହେଉଥିଲା। ଫଳରେ ଚାଷୀ ଜଣକ କ୍ଷେତ ଜଗିବା ପାଇଁ ଯାଇଥିଲେ। ହେଲେ ଚୋର ଦାଉରୁ ପରିବା ରକ୍ଷା କରିବାକୁ ଯାଇଥିବା ଚାଷୀଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କୁ ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମରେ।
ସୂଚନା ଅନୁସାରେ; କାଞ୍ଜିଆପାଳ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି (୬୩) ନିଜ କ୍ଷେତରେ ବିଭିନ୍ନ ପନିପରିବା ଚାଷ କରିଛନ୍ତି। ତେବେ କିଛିଦିନ ହେଲା ତାଙ୍କ କ୍ଷେତରୁ ବାରମ୍ବାର ପରିବା ଚୋରି ହେଉଥିଲା। ଫଳରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ପୂର୍ଣ୍ଣଚନ୍ଦ୍ର କ୍ଷେତ ଜଗିବା ପାଇଁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ମାତ୍ର ଆଜି ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ କ୍ଷେତଠାରୁ କିଛି ଦୂର ଏକ ଗଡ଼ିଆରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ତଦନ୍ତ ସମୟରେ ଘଟଣାସ୍ଥଳରୁ ଦୁଇଟି ବାଉଁଶ ଠେଙ୍ଗା ଜବତ ହେବା ତଥା ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ମୁହଁ, ମୁଣ୍ତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଫଳରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଥିବା ପୁଲିସ କହିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଥିଲା। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସଂଦେହରେ ଗ୍ରାମର ଜଣକୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dead-indiatoday-4.png)