ଜମିରେ ଟଳି ପଡ଼ିଲେ ଚାଷୀ

ବାଲିକୁଦା : ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ବାଲିକୁଦା ଗ୍ରାମର କ୍ଷୁଦ୍ରଚାଷୀ ରବୀନ୍ଦ୍ର ପୃଷ୍ଟି(୬୫)ଙ୍କର ଆଜି ମୃତ୍ୟୁ ହୋଇଯାଇଛି। ରବୀନ୍ଦ୍ର ବିରି ବିଲକୁ ଯାଇଥିବା ବେଳେ ସେଠାରେ ଟଳି ପଡ଼ିଥିଲେ। ଗ୍ରାମର ଜନୈକ ବ୍ୟକ୍ତି ଦେଖିବା ପରେ ତାଙ୍କ ଘରକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ରବୀନ୍ଦ୍ର ଜଣେ କ୍ଷୁଦ୍ର ଚାଷୀ। ନିଜର ୨୦ଗୁଣ୍ଠ ଜମି ସହିତ ଗାଁର କିଛି ଲୋକଙ୍କ ଜମିରେ ଭାଗଚାଷ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ଘରେ ପତ୍ନୀ, ଝିଅ ବାହା ହୋଇଯାଇଥିବା ବେଳେ ଦୁଇପୁଅ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି।

ଚଳିତ ବର୍ଷ କରୋନା ପାଇଁ ଚାଷ ପ୍ରଭାବିତ ହୋଇଥିଲା। କଟକଣା କୋହଳ ହେବା ପରେ ଲଗାଣ ବର୍ଷା ଓ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା। ବର୍ଷା ଓ ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଫସଲହାନୀ ହୋଇଥିଲା। ବିଳମ୍ବରେ ବୁଣାଯାଇଥିବା ବିରି ଫସଲ ମଧ୍ୟ ନଷ୍ଟ ହୋଇଯାଇଥିଲା। ସେହିପରି ଚିନାବାଦାମ ଚାଷରେ ମଧ୍ୟ ପୋକ ଲାଗିଯାଇଥିଲେ। ଚଳିତ ବର୍ଷ ରବୀନ୍ଦ୍ର ଚାଷପାଇଁ ବ୍ୟାଙ୍କ, ସମବାୟ ସମିତି ଓ ମହାଜନ ଠାରୁ ଋଣ କରିଥିଲେ। ବ୍ୟାପକ ଫସଲହାନୀ ଯୋଗୁଁ ଋଣ ପରିଶୋଧ ଚିନ୍ତା ତାଙ୍କୁ ଚାପଗ୍ରସ୍ତ କରିଥିବା ପରିବାର ଲୋକେ କହିଛନ୍ତି। କିଛିଦିନ ହେଲା ସେ ଚିନ୍ତାରେ ରହୁଥିଲେ। ଫସଲହାନୀ ଓ ଋଣଭାର ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର