ରରୁଆଁ: ଗୋରୁ କିଣିବା ପାଇଁ ଯାଇଥିବା ଜଣେ ଚାଷୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ରରୁଆଁ ବ୍ଲକ୍ ତଥା ଘାଗରବେଡ଼ା ଥାନା ଅଧୀନ ନୂଆଗାଁ ପଞ୍ଚାୟତର କେନ୍ଦୁଆ ଗ୍ରାମ ନିକଟରେ।
ସୂଚନା ଅନୁସାରେ ରରୁଆଁ ବ୍ଲକ୍ ଅଙ୍ଗାରପଦା ପଞ୍ଚାୟତ କଲନ୍ଦା ଗ୍ରାମର ହୀରାନନ୍ଦ ମହାନ୍ତ (୫୦) କେନ୍ଦୁଝର ଜିଲ୍ଲା ସଡ଼ିଙ୍ଗ ନିକଟ ଖୁଣ୍ଟାପଡ଼ା ଗ୍ରାମସ୍ଥ ଶ୍ବଶୁର ଘରେ ରହୁଥିଲେ। ସେ ଜଣେ ଚାଷୀ ହୋଇଥିବା ବେଳେ ଆଜି ୫୧ ହଜାର ଟଙ୍କା ନେଇ ଅଙ୍ଗାରପଦା ହାଟକୁ ଗୋରୁ କିଣିବା ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ହୀରାନନ୍ଦ ଗୋରୁ ନକିଣି ଦିନ ସାଢ଼େ ୧୨ଟା ବେଳେ ଚାଲିଚାଲି ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି କେନ୍ଦୁଆ ଗ୍ରାମର ପୋଲ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହୀରାନନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଧରିଥିବା ଟଙ୍କା ବ୍ୟାଗ୍କୁ ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଖବର ପାଇ ରରୁଆଁ ଥାନା ସବଇନ୍ସ୍ପେକ୍ଟର୍ ବିବେକାନନ୍ଦ ବେହେରା ଓ କରଞ୍ଜିଆ ଏସ୍ଡିପିଓ ନବକୃଷ୍ଣ ନାଏକଙ୍କ ସହ ଘାଗରବେଡ଼ା ଥାନା ଓଆଇସି ସଦଳବଳ ପହଞ୍ଚିଥିଲେ। ହୀରାନନ୍ଦଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ପଠାଯାଇଛି। ଏନେଇ ଘାଗରବେଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)