ଧାନ ଛାଡ଼ି ଘରକୁ ଫେରିଲେ ଚାଷୀ; ‘ଧାନ ବିକିବାକୁ ଆସିଲୁ, ସରକାର କିଣି ପାରିଲେନି’

ସରକାରୀ କଳର ଅପାରଗତା ପଦାରେ ପଡ଼ିଲା, ପେ‌କ୍ସ-ଯୋଗାଣ ବିଭାଗ ଦୋଷ ଲଦାଲଦି

ବରଗଡ଼ : ନା ଧାନ ଉଠିଲା, ନା କିଛି ପ୍ରତିଶ୍ରୁତି ମିଳିଲା। ଶେଷରେ ତିନିଦିନ ଧରି ବରଗଡ଼ ଜିଲ୍ଲାପାଳ ଅଫିସ୍‌ଠାରେ ଚାଲିଥିବା ଅହୋରାତ୍ର ଚାଷୀ ଆନ୍ଦୋଳନର ପରିସମାପ୍ତି ଘଟିଛି। ଚାଷୀଙ୍କ ପାଖରେ ଆଉ କିଛି ବିକଳ୍ପ ବି ନାହିଁ। ମୂଳରୁ ଟୋକନ୍‌ ବ୍ୟବସ୍ଥାକୁ ଯେଉଁ ବିରୋଧ ହେଉଥିଲା, ତାହା ଅମୂଳକ ନୁହଁ ବୋଲି ପ୍ରମାଣିତ ହୋଇଛି। ଜିଲ୍ଲାରେ ୧୦ଲକ୍ଷ କ୍ବିଣ୍ଟାଲ ରବି ଧାନ ପଡ଼ି ରହିଛି। ଚାଷୀଙ୍କ କଥା ନା ପ୍ରଶାସନ ଶୁଣିଲା, ନା ଯୋଗାଣ ବିଭାଗ। ଏପରିକି ରାଜଧାନୀରୁ ବି କିଛି ନିଷ୍ପତ୍ତି ‌ହୋଇପାରିଲା ନାହିଁ। ଗୋଟିଏ ହିସାବରେ, ରବି ଧାନ କିଣାର ସବୁ ନୀତିନିୟମ ଏବଂ ପ୍ରକ୍ରିୟା ସଂପୂର୍ଣ୍ଣ ଫେଲ୍‌ ମାରିଛି। ଏଥିପାଇଁ ସବୁ କଳକୁ ଦାୟୀ କରି ହତାଶ ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟର ଉଭୟ ଗେଟ୍‌ରେ ଗଦା ଥିବା ଧାନବସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି।

ଜିଲ୍ଲାରେ ମେ ୫ ତାରିଖ ଦିନ ଆରମ୍ଭ ହେବା ଦିନରୁ ଟୋକନ୍‌ ବିଭ୍ରାଟ ମୁଣ୍ଡ ଟେକିଥିଲା। ଜିଲ୍ଲାକୁ ତିନୋଟି ପର୍ଯ୍ୟାୟରେ ୫୩.୫୮ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ଟା‌ର୍ଗେଟ ଆସିଛି। ପ୍ରଥମରେ ୪୦ ଲକ୍ଷ, ପରେ ୧୦.୫୮ଲକ୍ଷ ଏବଂ ଶେଷରେ ୩ଲକ୍ଷ କ୍ବିଣ୍ଟାଲ ଟା‌‌େର୍ଗଟ୍‌ ଧାର୍ଯ୍ୟ ହୋଇଥିଲା। ହେଲେ ବର୍ତ୍ତମାନ ଯାଏ ପାଖାପାଖି ୫୧ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଛି। ଆହୁରି ଅଢ଼େଇ ଲକ୍ଷ କ୍ବିଣ୍ଟାଲର ଟାର୍ଗେଟ ଥିବା ସତ୍ତ୍ବେ ସେତିକି ବି ଧାନ ବିକ୍ରି ହୋଇପାରିଲାନି। ‘ଆମେ ଧାନ ବିକିବାକୁ ଆସିଲୁ, ସରକାର କିଣି ପାରିଲେନି। ଏଥିରୁ ସରକାରୀ କଳର ଅପାରଗତା ଜଣାପଡ଼ିଲା,’ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ଜିଲ୍ଲାର ସବୁ ମଣ୍ଡି ବି ବନ୍ଦ ହୋଇଯାଇଛି। ଚାଷୀମାନେ ବୁଧବାର ଦିନ ୨ଟା ଭିତରେ ପଦକ୍ଷେପ ନେବାକୁ ପ୍ରଶାସନକୁ ମହଲତ ଦେଇଥିଲେ। ହେଲେ ସଂଧ୍ୟା ୬ଟା ଭିତରେ କିଛି ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଭରସା ଦିଆଗଲା। କିଛି ଚାଷୀ ପ୍ରତିନିଧି ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କଲେ। ହେଲେ ପେକ୍ସ ଏବଂ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟକୁ ନେଇ ଦୋଷ ଲଦାଲଦି ହୋଇଥିଲା। ଚାଷୀଙ୍କ ଧାନ ଉଠିବ ନା ନାହିଁ, ସେନେଇ ମୁଖ୍ୟ ଯୋଗାଣ ଅଧିକାରୀ କିଛି କହିନଥିଲେ। ଗୋଟିଏ ହିସାବରେ ସଭିଏଁ ହାତ ଟେକି ଦେଲେ। ଏହାପରେ, ଚାଷୀମାନେ ସେହିଭଳି ଧାନ ବସ୍ତା ରଖି ଘରକୁ ବାହୁଡ଼ିଛନ୍ତି। ଆନ୍ଦୋଳନକାରୀଙ୍କୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ସରୋଜ, ବ୍ୟୋମକେଶ ଠାକୁର, ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର