ଏପଟେ ଆଲୋଚନା, ସେପଟେ ଆନ୍ଦୋଳନ; ଯୋଗାଣ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଚାଷୀ

ବରଗଡ଼ : ମଣ୍ଡି‌ରେ ଲକ୍ଷାଧିକ ବସ୍ତା ଧାନ ପଡ଼ି ରହିଛି। ଚାଷୀଙ୍କ ଟୋକନ୍‌ ଉଡ଼ି ଯାଉଛି। ନୂଆ ଟୋକନ୍‌ ପୁନଃ ଜାରି ହେଉନାହିଁ। ଅନ୍ୟପକ୍ଷରେ ଟୋକନ୍‌ ଥିବା ଚାଷୀ ମଧ୍ୟ ଧାନ ବିକ୍ରି କରିପାରୁନାହାନ୍ତି। କେଉଁ ସ୍ତରରେ ତୃଟି ରହିଛି, ତାହା ସଂପୂର୍ଣ୍ଣ ଗୋପନ ରଖାଯାଉଛି। ଜିଲ୍ଲାରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରାଯାଇଛି। କିନ୍ତୁ ଆଲୋଚନାରେ କ’ଣ ନିଷ୍କର୍ସ ବାହାରିଲା, ତାହାର ଉତ୍ତର କାହାରି ପାଖରେ ନାହିଁ।

ଗୋଟିଏ ପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଛି। ବରଗଡ଼ଠାରେ ଚାଷୀ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଡିଆର୍‌ସିଏସ୍‌ ଅଫିସ୍‌ରେ ତାଲା ଠୁଙ୍କା ଯାଇଛି। ଏହା ପରେ ସମିତିର ସଦସ୍ୟମାନେ ଯୋଗାଣ କାର୍ଯ୍ୟାଳୟରେ ମଧ୍ୟ ତାଲା ମାରିଛନ୍ତି। ଚାଷୀର ଧାନ ନଉଠିବା ଯାଏ ଆନ୍ଦୋଳନ ପର୍ଯ୍ୟାୟକ୍ରମେ ଆଗକୁ ନିଆଯିବ ବୋଲି ସମିତିର ସଭାପତି ଜୟକୃଷ୍ଣ ସାହୁ, ସଂପାଦକ କିଶୋରଚନ୍ଦ୍ର ଦେବତା ଏବଂ ଅନ୍ୟମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର