ନୂଆପଡ଼ା : ଯୋଗାଣ ଅଫିସରେ ତଲା ପକାଇ ସିଏସଓଙ୍କୁ ଗୋଡ଼ାଇଲେ ଚାଷୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଜିଲ୍ଲାର ଅନ୍ନଦାତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଣ୍ଡିଗୁଡ଼ିକରେ ୩ଲକ୍ଷରୁ ଅଧିକ ବସ୍ତା ଧାନ ପଡ଼ିରହିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଟାର୍ଗେଟ ଆସିଲେ ମଣ୍ଡିରୁ ଧାନ କ୍ରୟ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଉଛି। ସୋମବାର ନୂଆପଡ଼ା ଜିଲ୍ଲାର ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ ଅଫିସକୁ ପହଞ୍ଚି ଥିଲେ। ଚାଷୀମାନଙ୍କୁ ଦେଖି ଯୋଗାଣ ଅଧିକାରୀ ଦୌଡ଼ି ପଳାଇଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କିଛି ଚାଷୀ ଯୋଗାଣ ଅଧିକାରୀଙ୍କୁ ଗୋଡ଼ାଇଥିଲେ।

ସୋମବାର ଚାଷୀମାନେ ଜିଲ୍ଲାପାଳ ଅଫିସ ଆଗରେ ବସିଥିଲେ। ଏନେଇ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଗୌରୀଶଙ୍କର ପଣ୍ଡା, ଗୋଲଡି ଅଗ୍ରୱାଲ, ଚତୁର୍ଭୁଜ ଶର୍ମାଙ୍କ ସହ ଶତାଧିକ ଚାଷୀ ଯୋଗାଣ ଅଧିକାରୀଙ୍କ ଅଫିସକୁ ଯାଇଥିଲେ। ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ହେଲେ କେହି ମଧ୍ୟ ଅଧିକାରୀ ଚାଷୀମାନଙ୍କ ପାଖକୁ ଆସିନଥିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଚାଷୀମାନେ ଯୋଗାଣ ଅଫିସ ଭିତରକୁ ଧସେଇ ପଶିଥିଲେ। ଚାଷୀ ଆସିଥିବା ଜାଣି ଯୋଗାଣ ଅଧିକାରୀ ଅଫିସରୁ ପଳାଉଥିବା ଦେଖି ଚାଷୀମାନେ ତାଙ୍କୁ ଗୋଡ଼ାଇଥିଲେ। ହେଲେ ଯୋଗାଣ ଅଧିକାରୀ ଦୌଡ଼ି ପଳାଇ ଯାଇଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବିଫଳ ହେବାରୁ ଯୋଗାଣ ଅଫିସକୁ ତାଲା ପକାଇ ଧାରଣା ଦେଇଥିଲେ। ପରେ ଅତିରିକ୍ତ ଯୋଗାଣ ଅଧିକାରୀ ଚାଷୀମାନଙ୍କ ଧାନ କ୍ରୟ କରାଯିବ ବୋଲି କହିବାରୁ ଚାଷୀମାନେ ଧାରଣା ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର